ଭୁବନେଶ୍ୱର: ପ୍ରଥମ ଥର ଓଡ଼ିଶାରେ ବିଜେପି ସରକାର ଗଠନ କରିଛି। ଇତି ମଧ୍ୟରେ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ ମଣ୍ଡଳ ତଥା ଜିଲ୍ଲା ସଭାପତି ଗୁଡ଼ିକର ନିର୍ବାଚନ ସରି ମଣ୍ଡଳ ଓ ଜିଲ୍ଲା ସଭାପତି ନିଯୁକ୍ତି ସରିଛି। ଏହାପରେ ରହିଛି ରାଜ୍ୟ ସଭାପତି ନିର୍ବାଚନ ବା ଚୟନ। ବିଜେପିରେ ଏବେ ଯାହା ଚାଲିଛି ସଭାପତି ପାଇଁ ନିର୍ବାଚନ ନୁହେଁ, ଚୟନ କରାଯାଇ ଜଣଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯିବା ପ୍ରାୟ ନିଶ୍ଚିତ। ତେବେ, କିଏ ହେବେ ବିଜେପି ରାଜ୍ୟ ସଭାପତି? ମନମୋହନ ସାମଲ ରିପିର୍ଟ୍ ହେବେ ନାଁ ଆଉ କେହି ଜଣେ ହେବେ ରାଜ୍ୟ ସଭାପତି? କାହା ଉପରେ ଭରଷା କରିବ ଦଳ? କାହାକୁ ଦାୟିତ୍ୱ ଦେବେ କେନ୍ଦ୍ରୀୟ ନେତୃତ୍ୱ? ଏହାକୁ ନେଇ ଦଳ ଭିତରେ ତଳଠାରୁ ଉପର ଯାଏଁ ସବୁଠି ଆଲୋଚନା ଚାଲିଛି। ଏହା ଭିତରେ ଏବେକାର ସଭାପତି ମନମୋହନ ସାମଲ ରିପିର୍ଟ୍ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲେ ମଧ୍ୟ ଆଉ କିଛି ନେତା ରାଜ୍ୟ ସଭାପତି ଦୌଡ଼ରେ ଥିବା ନେଇ ଆଲୋଚନା ହେଉଛି। ସେଥିରେ ପୂର୍ବତନ ସଭାପତି ସମୀର ମହାନ୍ତି, ଏବେକାର ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ସାରଦା ଶତପଥି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ସଙ୍ଗଠନ ସମ୍ପାଦକ ପଞ୍ଚାନନ ରାଉତ ଆଦି ପରି କେତେକ ନେତାଙ୍କ ନାମ ରହିଛି। ମନମୋହନ ସାମଲ ରିପିର୍ଟ୍ ହେବା ଦିଗରେ ସବୁଠାରୁ ବଡ଼ କଣ୍ଟା ହୋଇ ବସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାସ୍ତବରେ ମନମୋହନ ସାମଲ ସଭାପତି ହେବା ପରଠାରୁ ଦିନେ ନିଜକୁ ଓଡ଼ିଶା ବିଜେପିର ହର୍ତା, କର୍ତ୍ତା, ଦୈବବିଧାତା ତଥା ମୁଣ୍ଡିଆଳ ଭାବୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ପୂରା କମିଯାଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସାରାରେ ନାଚିବାକୁ ପ୍ରସ୍ତୁତ ଥିବା ସମୀର ମହାନ୍ତି, ଗୋଲକ ମହାପାତ୍ର ଭଳି ଲୋକ ବିଜେପି ରାଜ୍ୟ ସଭାପତି ହୁଅନ୍ତୁ ବୋଲି ପ୍ରଥମେ ଧର୍ମେନ୍ଦ୍ର ଚାହୁଁଥିଲେ। କିନ୍ତୁ, ସେ ଯାହାକୁ ଚାହିଁବେ ସେ ହିଁ ସଭାପତି ହେବେ ଏହା ଅସମ୍ଭବ। ଏବେ ତାଙ୍କର ଆଉ ସେ ପତିଆରା ନାହିଁ ବୋଲି ଅନୁଭବ କରିବା ପରେ, ସେ ଯେ କେହି ହେଉ ପଛେ, ମନମୋହନ ସାମଲ କୌଣସି ପରିସ୍ଥିରେ ସଭାପତି ରିପିର୍ଟ୍ ନ’ହୁଅନ୍ତୁ ବୋଲି ଧର୍ମେନ୍ଦ୍ର ଚାହୁଁଛନ୍ତି। ସେଥିପାଇଁ ଧର୍ମେନ୍ଦ୍ର ତାଙ୍କର ଭିତିରିଆ ଷଡ଼ଯନ୍ତ୍ର ଆରମ୍ଭ କରି ଦେଇଛନ୍ତି। ସେହିପରି ମାନସ – ମନମୋହନ ଯୋଡ଼ି ମନ୍ତ୍ରୀଙ୍କୁ ବଡ଼ ଟେନ୍ସନ୍ ଦେଲା ଅନୁଭବ କରି ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ବଦଳନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ଚାହୁଁଛନ୍ତି। କିନ୍ତୁ, ଓଡ଼ିଶା ରାଜନୈତିକ ଦୃଶ୍ୟପଟ ଏବେ ଯାହା ଏବଂ ଓଡ଼ିଶାରେ ବିଜେପିକୁ ଅନୁଶାସନ ଏବଂ ସାଙ୍ଗଠନିକ ବ୍ୟବସ୍ଥା ଭିତରେ ରଖି ଅଧିକ ଶକ୍ତିଶାଳୀ କରିବାକୁ ହେଲେ ମନମୋହନ ସାମଲ ଏବଂ ମାନସ ମହାନ୍ତି ଯୋଡ଼ିଙ୍କୁ ସଭାପତି ଏବଂ ସଙ୍ଗଠନ ସମ୍ପାଦକ ଭାବରେ ରିପିର୍ଟ୍ କରିବା ନିହାତି ଜରୁରୀ ଅଛି ବୋଲି ଅନୁଭବ ହେଉଛି।