ଭୁବନେଶ୍ୱର: ଆଉ ଧାଇଁବାକୁ ପଡିବନି ତହସିଲ ଅଫିସ। ମାଗଣାରେ ହେବ ପଟ୍ଟା ପରିବର୍ତ୍ତନ। ଓଡ଼ିଶା ସରକାର ଜମିଜମା ପ୍ରକ୍ରିୟାରେ ବଡ ସଂଶୋଧନ କରିଛନ୍ତି। ଏଣିକି ପଟ୍ଟା ପରିବର୍ତ୍ତନ ପ୍ରକ୍ରିୟା ସହଜ ହେବ ଏବଂ କୌଣସି ଦେୟ ଦେବାକୁ ପଡିବନି। ଗାଁ’ କୁ ଗାଁ’ ଯାଇ (ଆରଆଇ) ରାଜସ୍ବ ନିରୀକ୍ଷକ ସମସ୍ୟାର ସମାଧାନ କରିବେ। ଏହାସହ ୧୯୮୩ ଆଇନର ସଂଶୋଧନ କରି ଭୂମିହୀନ ସଂଜ୍ଞାର ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର। ଭୂସଂସ୍କାର ପ୍ରକ୍ରିୟାରେ ରାଜ୍ୟ ସରକାର ଆଣିଛନ୍ତି ବଡ ପରିବର୍ତ୍ତନ। ପୂର୍ବରୁ ପଟ୍ଟାଧାରୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀଙ୍କ ପାଇଁ ପଟ୍ଟା ପରିବର୍ତ୍ତନରେ ବଡ଼ ସମସ୍ୟା ହେଉଥିଲା। ଘର ଓ ଜମିବାଡିର ପଟ୍ଟା କରିବାକୁ ସମସ୍ୟା ଭୋଗୁଥିଲେ ଲୋକେ। ଏବେ ଏଥିରେ ବଡ ପରିବର୍ତ୍ତନ ହୋଇଛି। ଏଣିକି ଗାଁ’ ଗାଁ’କୁ ଯାଇ ଆରଆଇମାନେ କ୍ୟାମ୍ପ କରି ଲୋକଙ୍କ ତଥ୍ୟ ସଂଗ୍ରହ କରିବେ। ପଟ୍ଟା ପରିବର୍ତ୍ତନର ପ୍ରକ୍ରିୟା ନିର୍ଦ୍ଧାରିତ ଫର୍ମରେ ପରିବାର ଲୋକ ଓ ସାକ୍ଷୀ ଭାବରେ ଦୁଇ ଜଣ ସାକ୍ଷୀ ରହିବେ। ସଂପୃକ୍ତ ପରିବାରକୁ ତହସିଲ ଅଫିସରୁ ୧୫ ଦିନିଆ ଭିତରେ ନୋଟିସ୍ ଆସିବ। ଏହା ଉପରେ ସଂପୃକ୍ତ ପରିବାର ଆପତ୍ତି ଅଭିଯୋଗ କରିପାରିବେ। ଆପତ୍ତି ଥିଲେ ତହସିଲ ଅଫିସରେ ଆପୋଷ ବୁଝାମଣା ହେବ। ପଟ୍ଟାରେ ନାଁ’ ପରିବର୍ତ୍ତନ କରିବ ତହସିଲ ଅଫିସ। ଏଥିପାଇଁ କିଛି ଦେୟ ଦେବାକୁ ପଡିବନାହିଁ। ଜମିପଟ୍ଟା ପରିବର୍ତ୍ତନ ବେଳେ ଅନେକ ଲୋକଙ୍କ ପାଖରେ ୪ ଡିସିମିଲରୁ କମ ଜାଗା ଥିବା ଜଣାପଡିଛି। ଅନେକ ଜମି ମୂଳ ଉତ୍ତାଧିକାରୀଙ୍କ ନାଁ’ରେ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ସରକାର ଓଡିଶା ଜମିଜମା ଆଇନ- ୧୯୮୩ରେ ସଂଶୋଧନ ଆଣିଛନ୍ତି। ଭୂମିହୀନ ସଂଜ୍ଞାରେ ପରିବର୍ତ୍ତନ ଆସିଛି। ଏଥିଅନୁସାରେ, ୪ ଡିସିମିଲରୁ କମ ଜମି ଥିଲେ ସେ ଭୂମିହୀନ ଭାବେ ଗଣା ହେବେ। ପ୍ରତ୍ୟେକ ଜିଲ୍ଲାରେ ୪ ଡିସିମିଲରୁ କମ ଥିବା ଲୋକଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘରକୁ ଘର ସର୍ଭେ କରିବ ରାଜସ୍ବ ବିଭାଗ। ଘରପଟ୍ଟା ନଥିବା ଲୋକଙ୍କୁ ବସୁନ୍ଧରା ଯୋଜନାରେ ସରକାର ଜମି ପଟ୍ଟା ଯୋଗାଇ ଦିଆଯିବ। ୪ ଡିସିମିଲରୁ କମ ଜମି ସରକାରଙ୍କୁ ଦେଲେ ଘର ଆଖପାଖରେ ସରକାର ଦେବେ ୪ ଡିସିମିଲ ଜମି।