ପିଲା ବେଳେ ଶୁଣିଥିବା ଏକ କାହାଣୀ ଏବେ ଖୁବ୍ ମନେ ପଡ଼ୁଛି। କାହାଣୀଟି ଏହିପରି ଥିଲା, ଜଙ୍ଗଲରେ ଏକ ବଡ଼ ଗଛ ଉପରେ ଏକ ଶାଗୁଣା ରହୁଥିଲା। ନିଜର ନିର୍ମଳ ଭାବମୂର୍ତ୍ତି ପାଇଁ ସେଠାରେ ସେ ଆଦୃତ ଥୂଲା। କାଳକ୍ରମେ ସେ ବାର୍ଦ୍ଧକ୍ୟରେ ଉପନୀତ ହେଲା। ଖାଦ୍ୟ ସଂଗ୍ରହ ପାଇଁ ଆଉ ସେ ବାହାରକୁ ଯାଇପାରିଲା ନାହିଁ। ତେବେ ସେହି ଗଛରେ ବସାବାନ୍ଧି ରହୁଥିବା ଅନ୍ୟାନ୍ୟ ପକ୍ଷୀ ତାକୁ ଖାଦ୍ୟ ଆଣି ଦିଅନ୍ତି, ପ୍ରତିବଦଳରେ ସେ ସେହି ପକ୍ଷୀ ମାନଙ୍କର ପିଲା ଛୁଆଙ୍କୁ ଜଗି ବସେ। ଦିନେ ଏକ ବିଲେଇ ବା ବିରାଡ଼ି ସେଇ ଗଛ ପାଖରେ ଆସି ପହଞ୍ଚିଲା ଏବଂ ଶାଗୁଣାର ମିଛ ପ୍ରଶଂସା କରିବା ସହ “ମୁଁ ଆପଣଙ୍କ ଶିଷ୍ୟ ହେବାର ଇଚ୍ଛା ନେଇ ଏଠାକୁ ଆସିଛି, ମତେ ଗ୍ରହଣ କରନ୍ତୁ” ବୋଲି କହିଲା। ବୁଢ଼ା ଶାଗୁଣା ତାକୁ ନିଜ ପାଖରେ ରଖିଲା ଏବଂ କିଛି ଦିନ ଭିତରେ ବିରାଡ଼ିଟି ଶାଗୁଣାର ବିଶ୍ବାସ ଭାଜନ ହୋଇଗଲା। ତେବେ, ଦିନେ ସୁବିଧା ସୁଯୋଗ ଦେଖି ବିରାଡ଼ିଟି ପକ୍ଷୀମାନଙ୍କ କୁନିପିଲା ମାନଙ୍କୁ ମାରି ଖାଇଦେଲା। ପକ୍ଷୀମାନେ ସନ୍ଧ୍ୟାରେ ଫେରି ଗଛ କୋରଡ଼ରେ ନିଜ ପିଲାଙ୍କୁ ପାଇଲେନି। ଗଛ ତଳକୁ ଦେଖିବାରେ ସେମାନେ ପାଇଲେ ଖାଲି ସେମାନଙ୍କ ପର ଆଉ ହାଡ଼। ଆଉ ପାଖରେ ବସିଛି ସେ ବିରାଡ଼ି। ପକ୍ଷୀ ମାନଙ୍କୁ ଦେଖି ବିରାଡ଼ି ଦୌଡ଼ି ପଳେଇ ଲୁଚିଗଲା। ହେଲେ ଧରା ପଡ଼ିଲା ସେଇ ବୁଢ଼ା ଶାଗୁଣା। ପକ୍ଷୀମାନେ ଜାଣିଥିଲେ ଯେ ଶାଗୁଣା ସେମାନଙ୍କ ପିଲାଙ୍କୁ ଖାଇନି, ହେଲେ ସେ ବିରାଡ଼ିକୁ ନିଜ ପାଖରେ ରଖୁଥିବାରୁ ତାକୁ ଗଛରୁ ତଡ଼ି ବାହାର କରି ଦେଲେ।
ନିକଟରେ ଓଡ଼ିଶା ରାଜନୀତିରେ ଘଟି ଯାଇଥିବା ଘଟଣାକ୍ରମ ଶାଗୁଣା – ବିରାଡ଼ିର ଏହି କାହାଣୀ ସହିତ ପ୍ରାୟ ମିଶିଯାଉଛି। ନବୀନ ବାବୁ ଏଠାରେ ଶାଗୁଣା ଭୂମିକାରେ ରହିଥିବା ବେଳେ ପାଣ୍ଡିଆନ ସେହି ବିରାଡ଼ି ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ବିଦେଶରେ ପାଠ ପଢ଼ିଥିବା ନବୀନ ବାବୁ ବୋଧେ ପିଲା ବେଳେ ଏହି ଶାଗୁଣା – ବିରାଡ଼ି କାହାଣୀଟି ଶୁଣିନାହାଁନ୍ତି। ନଚେତ୍ ହୁଏତ ନବୀନ୍ ବାବୁ ଆଜି ସେହି ବିରାଡ଼ି ରୂପୀ ପଣ୍ଡିଆନଙ୍କୁ ଏତେ ବିଶ୍ୱାସ ଆଉ ଭରଷା କରି ସେ ବୁଢ଼ା ଶାଗୁଣାର ପରିଣତି ଭୋଗିନଥାନ୍ତେ! ଶାସ୍ତ୍ରରେ ଲେଖା ଅଛି –
ଅଜ୍ଞାନ କୁଳଶୀଳସ୍ୟ ବାସୋ ଦେୟଃ ନ କସ୍ୟଚିତ୍ ମାର୍ଯାରେଣ ହିଁ ଦୋଷେଣ ହତଃ ଗୃଦ୍ଧ ଜରଦଗବାଃ