“ଯଦି ନିଜ ଦେଶ ପ୍ରତି ଥିବା ଆନୁଗତ୍ୟ ଅନୁରକ୍ତିକୁ ପାପ ବୋଲି ଧରାଯାଏ, ତେବେ ମୁଁ ମାନୁଛି ମୁଁ ସେ ପାପ କରିଛି। କିନ୍ତୁ ତାହା ଯଦି ପ୍ରଶଂସାର ଯୋଗ୍ୟ, ତେବେ ମୁଁ ବିନମ୍ରତାର ସହ ସେ ପ୍ରଶଂସା ଦାବି କରେ। ମୁଁ ପୂର୍ଣ ଦୃଢ଼ତାର ସହ ଏକଥା ବିଶ୍ଵାସ କରେ ଯେ ଯଦି ମଣିଷ ଦ୍ଵାରା ଗଠିତ ଏହି ବିଚାରାଳୟର ଉର୍ଦ୍ଧ୍ବରେ ଆଉ କୌଣସି ବିଚାରାଳୟ ଥାଏ, ତେବେ ସେଠାରେ ମୋର ଏହି କାର୍ଯ୍ୟ ଆଦୌ ଅନ୍ୟାୟ ବୋଲି ବିବେଚିତ ହେବନାହିଁ। ମୁଁ ଯେଉଁ କାର୍ଯ୍ୟ କରିଛି, ତାହା ସଂପୂର୍ଣ ଭାବେ ଦେଶ ଓ ମାନବ ଜାତିର ମଙ୍ଗଳ ପାଇଁ ହିଁ କରିଛି। ହଁ, ମୁଁ ଏକଥା ମଧ୍ୟ କହୁଛି ଯେ ମୁଁ ଏପରି ଏକ ବ୍ୟକ୍ତିକୁ ଗୁଳି କରିଛି ଯାହାର ନୀତି ଏବଂ କାର୍ଯ୍ୟ ଲକ୍ଷଲକ୍ଷ ହିନ୍ଦୁଙ୍କୁ ଛାରଖାର କରିଛି। ଧ୍ବଂସ କରିଛି।” – ନାଥୁରାମ ଗଡ଼ସେ
ଭାରତ ଇତିହାସର ସବୁଠାରୁ ଏକ ଅଧିକ ବିବାଦୀୟ ଚେହେରା ନାଥୁରାମ ଗଡ୍ସେ। ଭାରତରେ କେହି ତାଙ୍କୁ ଆତତାୟୀ କହି ଘୃଣ୍ୟ ଚକ୍ଷୁରେ ଦେଖୁଥିବା ବେଳେ ଅନେକଙ୍କ ନଜରରେ ସେ ମହାତ୍ମା ନାଥୁରାମ ଗଡ଼ସେ। ଅନେକ ତାଙ୍କୁ ଆଜି ପୂଜା କରନ୍ତି ତାଙ୍କ ଜନ୍ମଜୟନ୍ତୀ ମଧ୍ୟ ପାଳନ କରନ୍ତି। ନାଥୁରାମ ଗଡ଼ସେଙ୍କ ପୁରା ନାମ ହେଲା ନାଥୁରାମ ବିନାୟକ ଗଡ଼ସେ। ମହାରାଷ୍ଟ୍ର ପୁନେ ଜିଲ୍ଲାରେ ୧୯୧୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ ନାଥୁରାମ ଗଡ଼ସେ। ଜନ୍ମ ସମୟରେ ତାଙ୍କର ନାମ ରାମଚନ୍ଦ୍ର ଥିଲା। ଜନ୍ମ ପୂର୍ବରୁ ତାଙ୍କର ପିତାମାତାଙ୍କର ତିନି ପୁଅ ଓ ଗୋଟିଏ ଝିଅ ଥିଲେ। କିନ୍ତୁ ଶିଶୁ ବୟସରେ ୩ ପୁଅ ମୃତ୍ୟୁବରଣ କରିଥିଲେ। ପରିବାରରେ ପୁଅ ମାନଙ୍କ ଉପରେ କିଛି ଅଭିଶାପ ରହୁଥିବା ଭୟରେ ରାମଚନ୍ଦ୍ରଙ୍କୁ ତାଙ୍କ ଜୀବନର ପ୍ରଥମ କିଛି ବର୍ଷ ପର୍ଯ୍ୟନ୍ତ ଝିଅ ଭାବରେ ପାଳନ କରାଯାଇଥିଲା। ତାଙ୍କ ନାକରେ କଣା କରାଯାଇ ଏବଂ ତାଙ୍କୁ ନାକରେ ଏକ ନୋଥ (ମରାଠୀ ଭାଷାରେ ନଥ) ପିନ୍ଧିବାକୁ ପଡ଼ିଥିଲା। ଏହି କାରଣରୁ ତାଙ୍କୁ “ନାଥୁରାମ” (ଅର୍ଥାତ୍ “ନଥ ପିନ୍ଧିଥିବା ରାମ”) ବୋଲି ଡାକାଯାଉଥିଲା। ତାଙ୍କ ସାନ ଭାଇ ଜନ୍ମ ନେବା ପରେ ସେ ପୁଣି ପୁଅ ଭାବରେ ଜୀବନ ଅତିବାହିତ କରିଥିଲେ। କିନ୍ତୁ ତାଙ୍କ ନାମ ସବୁଦିନ ପାଇଁ ନାଥୁରାମ ଗଡ଼ସେ ହୋଇ ରହିଗଲା। ନାଥୁରାମ ଗଡ଼ସେ ଜଣେ ସ୍ୱୟଂ ସେବକ ଥିଲେ। ପ୍ରଥମେ ସେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍) ସହିତ ଜଡ଼ିତ ହୋଇଥିଲେ। କିନ୍ତୁ କଟ୍ଟର ହିନ୍ଦୁ ମାନସିକତା କାରଣରୁ ପରେ ସେ ଅଖିଳ ଭାରତ ହିନ୍ଦୁ ମହାସଭା ସହିତ ଜଡ଼ିତ ହୋଇଥିଲେ। ଗାନ୍ଧୀ ଭାରତର ହିନ୍ଦୁ ସମୁଦାୟ ପ୍ରତି ଅନ୍ୟାୟ କରୁଛନ୍ତି। ମୁସଲିମ୍ ଏବଂ ପାକିସ୍ତାନ ପାଇଁ ଅତ୍ୟଧିକ ପ୍ରେମ ଦେଖାଉଛନ୍ତି। ଏହି ଅସନ୍ତୋଷ ଗଡ଼ସେଙ୍କୁ ଗାନ୍ଧୀ ହତ୍ୟା ପର୍ଯ୍ୟନ୍ତ ପ୍ରେରିତ କଲା। ୩୦ ଜାନୁଆରୀ ୧୯୪୮ ମସିହାରେ ଦିଲ୍ଲୀର ବିରଲା ଭବନରେ ଗାନ୍ଧୀଙ୍କୁ ଗଡ଼ସେ ଗୁଳିକରି ହତ୍ୟା କଲେ। ପରେ ତାଙ୍କ ବିରୁଦ୍ଧରେ ମାମଲା ଚଲିଥିଲା ଏବଂ ୧୫ ନଭେମ୍ବର ୧୯୪୯ ମସିହାରେ ଗଡ଼ସେଙ୍କୁ ଫାସି ଦିଆଯାଇଥିଲା। ସେ ଗାନ୍ଧୀଙ୍କୁ କାହିଁକି ମାରିଥିଲେ “Why I Killed Gandhi” ନେଇ ଗଡ଼ସେ ନିଜସ୍ୱ ଲେଖା ମାଧ୍ୟମରେ ନିଜ ମନୋଭାବ ବ୍ୟକ୍ତ କରିଥିଲେ। ଯାହା ଆଜି ମଧ୍ୟ ଅନେକ ମଞ୍ଚରେ ଚର୍ଚ୍ଚାର ବିଷୟ ରହିଛି।ଫାଶୀ ପାଇବା ପୂର୍ବରୁ ଗଡ଼ସେ ତାଙ୍କ ଅଭିଳାଷ ବ୍ୟକ୍ତ କରିଥିଲେ। ଗଡ଼ସେଙ୍କ ଶେଷ ଇଚ୍ଛା ଥିଲା, ସ୍ଵାଧୀନ ହିନ୍ଦୁସ୍ଥାନର ପତାକା ଯେତେବେଳେ ପୁନର୍ବାର ପବିତ୍ର ସିନ୍ଧୁନଦୀ କୂଳରେ ଉଡ଼ିବ ଏବଂ ଅଖଣ୍ଡ ହିନ୍ଦୁସ୍ଥାନ ଆଧୂପତ୍ୟ ମଧ୍ୟରେ ସ୍ବଚ୍ଛନ୍ଦରେ ପ୍ରବାହିତ ହେବ ସେହିଦିନ ତାଙ୍କ ଚିତାଭସ୍ମକୁ ସିନ୍ଧୁ ନଦୀରେ ବିସର୍ଜନ କରିବ। ଏହା ସହ ଗଡ଼ସେ ଲେଖିଥିଲେ, ମୋର ଏହି ଚିତାଭସ୍ମକୁ ଚିତାଭସ୍ମକୁ ବିସର୍ଜନ ସର୍ଜନ ଦେବାପାଇଁ ଯଦି କେତେ ପୁରୁଷ ରେ କିଛି ଯାଏଁ ଅପେକ୍ଷା କରିବାକୁ ପଡ଼େ, ତେବେ ସେଥିରେ କିଛି ଯାଏ ଆସେ ନାହିଁ। ସେତେଦିନ ପର୍ଯ୍ୟନ୍ତ ମୋର ଚିତାଭସ୍ମ ସାଇତି ରଖୁବ। ତୁମ ଜୀବନ କାଳ ମଧ୍ୟରେ ଏହା ସମ୍ଭବ ନହେଲେ ତୁମର ଭାବୀ ବଂଶଧର ମାନଙ୍କୁ ମୋର ଅଭିଳାଷ ଜଣାଇ ତାଙ୍କ ହାତରେ ଏହାକୁ ସମର୍ପଣ କରିଦେଇଯିବ। ଯେତେଦିନ ପର୍ଯ୍ୟନ୍ତ ମୋର ଉଦ୍ଦେଶ୍ୟ ପୂରଣ ନ’ହୋଇଛି ସେତେଦିନ ପର୍ଯ୍ୟନ୍ତ ପୁରୁଷାନୁକ୍ରମେ ଏହା କରିଚାଲିଥିବ। ଅର୍ଥାତ୍ ଆଜି ଯାଏଁ ନାଥୁରାମ ଗଡ଼ସେଙ୍କ ଆତ୍ମା ଆତୃପ୍ତ ହୋଇ ରହିଛି।
କିଛି ଐତିହାସିକ ତଥା ଲେଖକଙ୍କ ମତରେ ଗାନ୍ଧୀହତ୍ୟା ମକଦ୍ଦମାର ବିଚାରପତି ନ୍ୟାୟମୂର୍ତ୍ତୀ ଜେ. ଡି ଖୋସାଲା କହିଥିଲେ – “ମୋ ମନରେ ସାମାନ୍ୟତମ ସନ୍ଦେହ ନାହିଁ ଯେ ସେଦିନ ଅଦାଲତରେ ଉପସ୍ଥିତ ଥିବା ଦର୍ଶକଗଣଙ୍କୁ ବିଚାରପତିର ଆସନରେ ବସାଇଦିଆ ଯାଇଥାଆନ୍ତା ଏବଂ ନାଥୁରାମ ଗଡ଼ସେଙ୍କ ଆବେଦନର ସିଦ୍ଧାନ୍ତ ନେବାର ଦାୟିତ୍ୱ ସେହି ଦର୍ଶକ ମାନଙ୍କ ହାତରେ ଅର୍ପଣ କରାଯାଇ ଥାଆନ୍ତା ତେବେ ବିପୁଳ ସଂଖ୍ୟା ଗରିଷ୍ଠତାର ସହ ସେମାନେ ଏହି ରାୟ ଶୁଣାଇ ଥାଆନ୍ତେ ଯେ, ନାଥୁରାମ ଗଡ଼ସେ ସଂପୂର୍ଣ୍ଣ ନିର୍ଦୋଷ।”