ଭୁବନେଶ୍ୱର: ବୃକ୍ଷ ହିଁ ଜୀବନ। ସାଧାରଣ ଭାବରେ କହିବାକୁ ଗଲେ ଅମ୍ଳଜାନ ପ୍ରଦାନ ଠାରୁ ଆରମ୍ଭ କରି ଛାଇ ଯୋଗାଇବା, ବୃଷ୍ଟିପାତ ପାଇଁ ସହାୟକ ହେବା, ମରୁଡ଼ି ପରିସ୍ଥିତି ହ୍ରାସ କରାଇବା, ଅଧିକ ବିକଳ୍ପ ଇନ୍ଧନ ଉତ୍ସ ପହଞ୍ଚାଇବା, ପରିବେଶ ସନ୍ତୁଳନ ରଖିବା, ଖାଦ୍ୟ ଉତ୍ପାଦନ ବୃଦ୍ଧି ଓ ମୃତ୍ତିକା କ୍ଷୟ ହ୍ରାସ କରାଇବା ଆଦି ଅଗଣିତ ହିତ ସାଧନ କରିଥାଏ ବୃକ୍ଷ। ଜୀବନରେ ବୃକ୍ଷ ଓ ଜଙ୍ଗଲର ଗୁରୁତ୍ବକୁ ହୃଦୟଙ୍ଗମ କରିବା ସହ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୫୦ ମସିହାରୁ ଜୁଲାଇ ପ୍ରଥମ ସପ୍ତାହରେ ପାଳନ କରାଯାଇ ଆସୁଛି ‘ବନ ମହୋତ୍ସବ ସପ୍ତାହ’ । ସେହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଏନ୍ଏସସ୍ ଏବଂ ୱାଇଆରସି ଶାଖା ପକ୍ଷରୁ ୭୫ ତମ ବନହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବ୍ରତାପ୍ତି ମିଶ୍ରଙ୍କ ସଭାପତିତ୍ବରେ ଏଥି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ଏନଏସ୍ଏସ୍ ସଂଯୋଜକ ଡ. ବ୍ରଜନାରାୟଣ ପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ ଟାଙ୍ଗୀ ବନ ବିଭାଗର ଜଙ୍ଗଲ ସଂରକ୍ଷକ ଦେବାଶିଷ ଭୋଇ ପ୍ରମୂଖ ଯୋଗ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବା ସହ ମହାବିଦ୍ୟାଳୟର ଏନଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର୍ ଡ. କୈବଲ୍ୟ ଚରଣ ପତି ଏବଂ ଛାତ୍ର ଆବାହକ କାର୍ତ୍ତିକ ସାମନ୍ତରାୟଙ୍କ ସଂଯୋଜନାରେ ମହାବିଦ୍ୟାଳୟ ଠାରୁ ନଗର ପରିକ୍ରମା ହୋଇ ମହାବିଦ୍ୟାଳୟର ପ୍ରତିଷ୍ଠାତା କ୍ଷେତ୍ରବାସୀ ରାଉତରାୟଙ୍କ ସମାଧି ପୀଠ ପଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଯାଇଥିଲା।
ମହାବିଦ୍ୟାଳୟରେ ଆୟୋଜିତ ବନହୋତ୍ସବ ସପ୍ତାହ ପାଳନ ଅବସରରେ ପୋଷ୍ଟର୍ ପ୍ରେଜେଣ୍ଟସନ୍ କମ୍ପୋଜିସନ୍ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ କଲେଜ ପରିସରରେ ୪୦୦ ବୃକ୍ଷ ରୋପଣ କରାଯିବା ସହ ଆଗାମୀ ଦିନ ମାନଙ୍କରେ ଅଧିକରୁ ଅଧିକ ବୃକ୍ଷ ରୋପଣ ଓ ତାର ରକ୍ଷଣବେକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମହାବିଦ୍ୟାଳୟର ମହିଳା ଏନସିସି ସ୍କ୍ୱାର୍ଡ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।