ଆଜି ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କ ଜୟନ୍ତୀ। ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା। ପୂରାଣମତେ ବିଶ୍ୱକର୍ମା ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ। ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବା ମୁଦ୍ରାରେ ଦେଖାଯାଆନ୍ତି। ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନ ଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ। ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ। ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି। ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ। ଦେବତା ମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ବିଶ୍ୱକର୍ମାଙ୍କ ଦ୍ୱାରା ବିନିର୍ମିତ। ସ୍ୱର୍ଗର ଅମରାବତୀ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ। ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି। ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ସେ ବିଷ୍ଣୁ ଆଉ ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି। ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା। ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା। ଏଣୁ ବିଶ୍ୱକର୍ମାଙ୍କୁ ମଧ୍ୟ ବ୍ରହ୍ମା ରୂପେ କଳ୍ପନା କରି ପୂଜା କରାଯାଏ।
ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି। ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା, ଧର୍ମବଂଶୀ ବିଶ୍ୱକର୍ମା, ଅଗ୍ନିବଂଶୀ ବିଶ୍ୱକର୍ମା, ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା। ସ୍କନ୍ଧ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ। ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା – ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି। ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ। ବିଶ୍ୱକର୍ମାଙ୍କ ଏହି ପୁତ୍ରମାନଙ୍କ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୋଇଥିଲା ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି। ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ। ‘ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା। ବିଶ୍ୱକର୍ମା ତ୍ୱଷ୍ଟା ନାମରେ ମଧ୍ୟ ବିଦିତ। ରାମାୟଣ ବର୍ଣ୍ଣନା ଅନୁସାରେ ରାବଣର ସ୍ୱର୍ଣ୍ଣ ଲଙ୍କାପୁର, ହରିବଂଶ ବର୍ଣ୍ଣନା ଅନୁସାରେ ଦ୍ୱାରିକାଧାମ, ସ୍କନ୍ଧପୁରାଣ ବର୍ଣ୍ଣନା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବିଗ୍ରହ ଆଦି ବିଶ୍ୱକର୍ମାଙ୍କ ଦ୍ୱାରା ବିନିର୍ମିତ। ବିଶ୍ୱକର୍ମାଙ୍କ ପୁତ୍ର ନଳ ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା। ଏହି ପଥର ମାନଙ୍କୁ ସ୍ପର୍ଶ କରିବାରୁ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ। ସେହିପରି କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ହିଁ ନିର୍ମାଣ କରିଥିଲେ। ବିଶ୍ୱକର୍ମା ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ବୁଢ଼ା ବଢ଼େଇ ରୂପରେ ଆସି ଜଗନ୍ନାଥ ମୂର୍ତ୍ତି ଗଢ଼ିଥିଲେ ବୋଲି ବିଶ୍ୱାସ ରହିଛି।