ଖୋର୍ଦ୍ଧା: ଭୂମିହୀନଙ୍କ ପାଇଁ ଘର ନାହିଁ, କିନ୍ତୁ ଜବରଦଖଲରେ ରହିଛି ଅନେକ ସରକାରୀ ଜାଗା। ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତରେ ଭୂମିହୀନଙ୍କ ପାଇଁ ଭୂମି ନାହିଁ କି ଆବାସ ନାହିଁ। କିନ୍ତୁ ଜବରଦଖଲରେ ରହିଛି ଅନେକ ଗୋଚର ଜମି, ଦେବତ୍ୱର ଜମି, ଜଙ୍ଗଲ ଜମି, ସରକାରୀ ରାସ୍ତା ଆଦି ସରକାରୀ ଜମି। ଏପରିକି ଗୋଚର, ଦେବତ୍ୱର, ଜଙ୍ଗଲ ଆଦି ସରକାରୀ ଜମି କିଣାବିକା ମଧ୍ୟ ହେଉଛି। ରାଜନୈତିକ ସମ୍ପର୍କ ରଖି ନିଜର ବାହୁବଳ ଦେଖାଇ ଗୋଳବାଇ ଗ୍ରାମରେ ସରକାରୀ ଜମି ଜବରଦଖଲ କରି ରଖିଛନ୍ତି ଅନେକ ଲୋକ। ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ଘର ପାଇଥିବା ଲୋକ ଘର ଅଧା ଗଢ଼ି କିମ୍ବା ଭଡ଼ା ଲଗାଇ ଏଣେ ସରକାରୀ ଜମି ବା ଗୋଚର ଜମିକୁ ମାଡ଼ି ବସି ନିର୍ମାଣ କରିଛନ୍ତି ଘର। କିନ୍ତୁ, ଗ୍ରାମର ରବୀନ୍ଦ୍ର କୁମାର ସାହୁ ପରି ବ୍ୟକ୍ତି ଯିଏ ଜଣେ ରୋଗୀଣା ଲୋକ, ତାଙ୍କ ନାମରେ ଗୋଟେ ଡେସିମମିଲ୍ ଜମି ବି ନାହିଁ। ଦେବତ୍ୱର ଜାଗାରେ ରହୁଥିବାରୁ ସେଠି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳି ପାରୁନି। ଭଙ୍ଗା ଚାଳଛପର ଘରେ ପାଲ ପକାଇ ଦୟନୀୟ ଅବସ୍ଥାରେ ରହୁଛନ୍ତି ସ୍ୱାମୀ – ସ୍ତ୍ରୀ।
ତେବେ ନିକଟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ସମସ୍ତ ଜବରଦଖଲ ହଟିବା ନେଇ ଘୋଷଣା କରିଥିଲେ। ଏବେ ପୁଣିମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ସରକାର ଓଡ଼ିଶା ଜମିଜମା ଆଇନ- ୧୯୮୩ରେ ସଂଶୋଧନ ଆଣିଛନ୍ତି। ଏବେ ୪ ଡେସିମିଲରୁ କମ୍ ଜମି ଥିବା ଲୋକଙ୍କୁ ଭୂମିହୀନ ଧରାଯାଇ ସେମାନଙ୍କୁ ବସୁନ୍ଧରା ଯୋଜନାରେ ଜମି ପଟା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ଦେଖାଯାଉ ଗୋଳବାଇ ଗ୍ରାମର ରବୀନ୍ଦ୍ର ସାହୁଙ୍କ ପରି ଭୂମିହୀନ ଲୋକ କେବେ ଜମି – ପଟ୍ଟା ଏବଂ ଆବାସ ପାଉଛନ୍ତି ଆଉ ଗ୍ରାମରେ ସରକାରୀ ଜମି ମାଡ଼ି ବସି ଘରଦ୍ୱାର କରିଥିବା ଲୋକ କେବେ ବେଦଖଲ ହେଉଛନ୍ତି।