ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ରେଖା ଗୁପ୍ତା ଶପଥ ନେବା ପରେ ସେଲିବ୍ରେଟ୍ କରିଛି ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା। ସଭାନେତ୍ରୀ ଐଶ୍ଵର୍ଯା ବିଶ୍ୱାଳଙ୍କ ନେତୃତ୍ୱରେ ପରସ୍ପରକୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା। ରେଖା ଗୁପ୍ତା ମହିଳା ମୋର୍ଚ୍ଚାରୁ ଯାଇଛନ୍ତି ତେଣୁ ଆମେ ଅଧିକ ଖୁସି। ସେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଥିଲେ। ଆମେ ଗୋଟିଏ ଟିମରେ ଥିଲୁ। ତାଙ୍କ ସହିତ କାମ କରିବାର ମୁଁ ସୁଯୋଗ ପାଇଛି ବୋଲି କହିଛନ୍ତି ଐଶ୍ଵର୍ଯା ବିଶ୍ୱାଳ। ତେବେ, ଦିଲ୍ଲୀ କଥା ଛାଡ଼ନ୍ତୁ ନିଜ ରାଜ୍ୟ ଓଡ଼ିଶା କଥା ଦେଖନ୍ତୁ। ଯେବେ ପ୍ରଭାତୀ ପରିଡ଼ା ଓଡ଼ିଶାର ପ୍ରଥମ ଉପ- ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସେତେବେଳେ ଐଶ୍ଵର୍ଯା ବିଶ୍ୱାଳଙ୍କ ଖୁସି ଥିଲା କେଉଁଠି? କାହିଁ ସେତେବେଳେ ତ’ ମହିଳା ମୋର୍ଚ୍ଚା ସେଲିବ୍ରେଟ୍ କରିନଥିଲା କିମ୍ବା ଐଶ୍ଵର୍ଯା କାହାକୁ ମିଠା ଖୁଆଇବାର ଦେଖାଯାଇ ନଥିଲା? ପ୍ରଭାତୀ ପରିଡ଼ା ଥିଲେ ରାଜ୍ୟ ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ। ପ୍ରଭାତୀ ପରିଡ଼ା ହିଁ ନବାଗତା ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ ପରିଚୟ ଦେଇଥିଲେ, ତାଙ୍କ ଟିମରେ ନେଇ ସିଧାସଳଖ ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା ଦାୟିତ୍ୱ ଦେଇଥିଲେ। ସମୟକ୍ରମେ ପ୍ରଭାତୀ ପରିଡ଼ାଙ୍କ ପରେ ସ୍ମୃତି ପଟ୍ଟନାୟକ ଏବଂ ଏହାପରେ ଐଶ୍ୱର୍ଯ୍ୟା ବିଶ୍ୱାଳ ହେଲେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ। ଏହା ଭିତରେ ଓଡ଼ିଶାରେ ବିଜେପି ସରକାର ଗଠନ କଲା ଏବଂ ମହିଳା ମୋର୍ଚ୍ଚା ପୂର୍ବତନ ଅଧ୍ୟକ୍ଷା ପ୍ରଭାତୀ ପରିଡ଼ା ହେଲେ ଓଡ଼ିଶାର ପ୍ରଥମ ମହିଳା ଉପ- ମୁଖ୍ୟମନ୍ତ୍ରୀ। ମହିଳା ମୋର୍ଚ୍ଚା ପାଇଁ ଖୁସି ଆଉ ଗର୍ବର କଥା। ମହିଳା ମୋର୍ଚ୍ଚା ପକ୍ଷରୁ ଏଥିନେଇ ପ୍ରଭାତୀ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯିବା କଥା। ମୋଦୀ ସରକାରରେ ମହିଳାଙ୍କୁ କିପରି ଗୁରୁତ୍ୱ ଦିଆଯାଉଛି ତାହା ବଖାଣିବା କଥା। କିନ୍ତୁ ସେତେବେଳେ ସେପରି କିଛି ଦେଖିବାକୁ ମିଳିଲାନି। କିନ୍ତୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପାଇଁ ଦେଖିବାକୁ ମିଳିଲା। ଏପରିକି ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ହେଉ ଅବା ଉପ- ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ହେଉ ଅବା ଅନ୍ୟ କୌଣସି ବରିଷ୍ଠ ନେତା ମନ୍ତ୍ରୀଙ୍କୁ ହେଉ ମହିଳା ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାର ଦେଖିବାକୁ ମିଳିଛି। କିନ୍ତୁ ପ୍ରଭାତୀ ପରିଡ଼ାଙ୍କୁ ମହିଳା ମୋର୍ଚ୍ଚା ପକ୍ଷରୁ କେବେ ସମ୍ବର୍ଦ୍ଧିତ କରାଯିବାର ଦେଖିବାକୁ ମିଳିନି। ଏହାର କାରଣ ପ୍ରଭାତୀଙ୍କ ପ୍ରତି ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ଅସୁୟା ଭାବ ବୋଲି କୁହାଯାଉଛି। ଏପରିକି କେହି ପ୍ରଭାତୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ଚାହିଁଲେ ମଧ୍ୟ ଐଶ୍ୱର୍ଯ୍ୟା ବାରଣ କରିଛନ୍ତି। ସତେ ଯେପରି ଐଶ୍ୱର୍ଯ୍ୟା ପ୍ରଭାତୀଙ୍କ ବିରୋଧରେ ଫତୱା ଜାରୀ କରିଛନ୍ତି! ବାସ୍ତବରେ ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ନୁହେଁ ମହିଳା ମୋର୍ଚ୍ଚାର ମ୍ୟାନେଜିଂ ଡାଇରେକ୍ଟର ପରି କାମ କରୁଛନ୍ତି ବୋଲି ଆଲୋଚନା ହେଉଛି। ନିଜକୁ ସର୍ବେସର୍ବା ଭାବି ଯେତେବେଳେ ଯାହାକୁ ଚାହୁଁଛନ୍ତି ସାଙ୍ଗରେ ଧରି ବୁଲୁଛନ୍ତି, ଯାହାକୁ ଚାହୁଁଛନ୍ତି ତାକୁ ଅଣଦେଖା କରୁଛନ୍ତି। ଦଳୀୟ ବ୍ୟବସ୍ଥାରୁ ବାହାରି ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀଙ୍କୁ ଛାଡ଼ି ମନଇଚ୍ଛା ଯାହାକୁ ପାରୁଛନ୍ତି କୁଆଡ଼ୁ ଆଣି ଦଳୀୟ କାମରେ ଧରି ବୁଲୁଛନ୍ତି। ଯାହାକୁ ନେଇ ରାଜ୍ୟ ମହିଳା ମୋର୍ଚ୍ଚା ଅଧିକାଂଶ ପଦାଧିକାରୀଙ୍କ ମନରେ ତୀବ୍ର ଅସନ୍ତୋଷ ରହିଛି। ଐଶ୍ୱର୍ଯ୍ୟାଙ୍କ ଏପରି ପ୍ରକୃତି କାରଣରୁ ଜଣେ ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀଙ୍କ ସହିତ ତାଙ୍କର ବିବାଦ ଘଟିଥିଲା। ସେ ଐଶ୍ୱର୍ଯ୍ୟାଙ୍କ ଧଜିଆ ଉଡ଼ାଇ ଦେଇଥିଲେ। ତଥାପି ସୁଧୁରୁ ନାହାଁନ୍ତି ନିଜକୁ ମ୍ୟାନେଜିଂ ଡାଇରେକ୍ଟର ଭାବୁଥିବା ଐଶ୍ୱର୍ଯ୍ୟା। ବୋଧେ ଜାଣିନାହାଁନ୍ତି ସେ ବିଜେପିରେ ପଦବୀ ନୁହେଁ, ଦାୟିତ୍ୱ ଥାଏ। ଆଉ ଐଶ୍ୱର୍ଯ୍ୟା ଦାୟିତ୍ୱ ତୁଲାଇବାରେ ସଂପୂର୍ଣ୍ଣ ଫେଲ୍ ହୋଇଛନ୍ତି।