ଭୁବନେଶ୍ୱର: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ସିନ୍ଦୁର ଆରମ୍ଭ କରିଛି। ପାକିସ୍ତାନର ୧୦୦ କିଲୋମିଟର ଭିତରକୁ ପଶି ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ସେନା। ଅପରେସନ ସିନ୍ଦୁର ଏବେ ବି ଜାରୀ ରହିଛି। ଭାରତ ବାହାରେ ଶତୃଙ୍କୁ ଦମନ ସହିତ ଭାରତ ଭିତରେ ଅନୁପ୍ରବେଶ କରି ଭାରତରେ ରହି ସ୍ଲିପର ସେଲ୍ ଭାବରେ କାମ କରୁଥିବା ଦେଶଦ୍ରୋହୀ ମାନଙ୍କୁ ମଧ୍ୟ ଦମନ କରିବା ଦିଗରେ ଲାଗି ପଡ଼ିଛି ଗୃହ ବିଭାଗ। ଏ’ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ଅର୍ଦ୍ଧ ସାମରିକ ବାହିନୀକୁ ଆଲର୍ଟ କରାଯିବା ସହ ବିଭିନ୍ନ ରାଜ୍ୟକୁ ଆଡଭାଇଜରୀ ଜାରୀ କରାଯାଇଛି। ବିଶେଷତଃ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଏବଂ ମାମୁଁ, ଦାଦା, ପୁତୁରା, ଭଣଜା କିମ୍ୱା ଜ୍ୱାଇଁ ଆଦି ନାମରେ ଆସି ରହୁଥିବା ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ତଦନୁଯାୟୀ ଓଡ଼ିଶାର କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଆଦି ପରି କେତେକ ସ୍ଥାନ ସମେତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିପଡ଼ା ବସ୍ତିରେ ଯାଞ୍ଚ ହେବାର ସମ୍ଭାବନା ରହିଛି।