ଭୁବନେଶ୍ୱର/ପୁରୀ: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ୧୨୧ ବର୍ଷର ବାଲି। ଏଏସଆଇ ଏବଂ ବିଡିଆର ୧୫ ଜଣିଆ ଟିମର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ବାଲି କଢ଼ାଯିବା ନେଇ ଚତୁର୍ଥ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ପାଇଁ ଏଏସଆଇ ପକ୍ଷରୁ ଆଲୋଚନା ହୋଇଛି। ସୂଚନାଯୋଗ୍ୟ ଯେ, ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷାକୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରାଯାଇ ଥିଲା। ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତ୍ତି ପରେ ଗତ ବର୍ଷ ସେପ୍ଟେମ୍ବର ମାସ ୨୦୨୨ ମସିହାରୁ ଏଏସଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଲି କାଢ଼ିବା ପ୍ରକ୍ରିୟା ପାଇଁ ଉତ୍ତର ଓ ପଶ୍ଚିମ କୋଣରେ ଲୁହା ବିମ କାମ ଶେଷ ହୋଇଛି।
ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ପାଇଁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡା ଦେଇ ଗର୍ଭଗୃହରେ ରହିଥିବା ବାଲିକୁ କଢ଼ାଯିବ। ବାଲି କାଢ଼ିବା ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଥିବା ବେଳେ ଏହା ଭିତରେ ୨ ବର୍ଷ ବିତିଗଲାଣି। ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି କିଭଳି ଧ୍ୟାନ ଦିଆଯିବ ସେଥିପାଇଁ ଆଜି ୧୫ ଜଣିଆ ଟିମ ସ୍ଥିତି ପରଖିବା ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।
121-year-old sand to be removed from Konark Temple