ଭୁବନେଶ୍ୱର: ଓଡ଼ିଶାରୁ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ- ଆସାନସୋଲ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଇବା ପାଇଁ ପୂର୍ବ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି। ପୂର୍ବ ରେଳପଥ ପକ୍ଷରୁ ଦାଖଲ ପ୍ରସ୍ତାବରୁ ହସ୍ତଗତ ସୂଚନା ଅନୁସାରେ ପୁରୀ- ଆସାନସୋଲ ମଧ୍ୟରେ ଦୂରତା ୬୦୧ କିମି ଏବଂ ଏହି ରୁଟ୍ରେ ସପ୍ତାହକୁ ୬ ଦିନ (ସୋମବାରରୁ ଶନିବାର) ବନ୍ଦେ ଭାରତ ଗଡ଼ିବ ଏବଂ ଯାତ୍ରା ସମୟ ୭ ଘଣ୍ଟା ୫୫ ମିନିଟ୍ ରହିବ ବୋଲି ଜଣାପଡ଼ିଛି। ପୁରୀ- ଆସାନସୋଲ ମଧ୍ୟରେ ଏହି ଟ୍ରେନ୍ ଭୁବନେଶ୍ୱର, କଟକ, ବାଲେଶ୍ୱର, ମେଦିନିପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରା ଷ୍ଟେସନରେ ରହଣି କରିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମେ’ ମାସରେ ପୁରୀ- ହାୱଡ଼ା ଏବଂ ସେପ୍ଟେମ୍ବର ମାସରେ ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ ହୋଇଥିଲା ଏବଂ ଏବେ ପ୍ରସ୍ତାବିତ ପୁରୀ- ଆସାନସୋଲ ତୃତୀୟ ବନ୍ଦେ ଭାରତ ଭାବେ ଓଡ଼ିଶା ଦେଇ ଚଳାଚଳ କରିବ।