Thursday, June 19, 2025

ଓଡ଼ିଶା ବିଜେପିକୁ ଓପନ୍ ଚ୍ୟାଲେଞ୍ଜ୍ ଦେଉଛନ୍ତି ଅପରାଜିତା!

ଭୁବନେଶ୍ୱର: ଓଡ଼ିଶା ବିଜେପିକୁ ଓପନ୍ ଚ୍ୟାଲେଞ୍ଜ୍ ଦେଉଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦଳରୁ ନିଲମ୍ବିତ ହୋଇଥିବା ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଧରି ଖୋର୍ଦ୍ଧାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଏହା ସହ ସେହି ନିଲମ୍ବିତ ନେତା ମାନଙ୍କୁ ଧରି ପଦଯାତ୍ରା ଏବଂ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ କରୁଛନ୍ତି ଅପରାଜିତା। ଏଥିରେ ଅପରାଜିତାଙ୍କ ସାଥ୍ ଦେଉଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଓରଫ୍ ଗଣେଶ ଜଗଦ୍ଦେବ। କେବଳ ସେତିକି ନୁହେଁ ଦଳରୁ ନିଲମ୍ବିତ ହୋଇଥିବା ତଥା ଅପରାଜିତାଙ୍କ ଅନୁଗତ ସେହି ନେତାମାନେ ମଞ୍ଚ ଉପରେ ମଞ୍ଚାସିନ ହେଉଛନ୍ତି, ଅପରାଜିତାଙ୍କ ପାଖରେ ଲାଗିକି ବସୁଛନ୍ତି, ମଞ୍ଚ ପରିଚାଳନା କରୁଛନ୍ତି ଏବଂ ମଞ୍ଚ ଉପରୁ ଭାଷଣ ଦେଉଛନ୍ତି। ଏମାନଙ୍କ ମଧ୍ୟରେ ଦଳରୁ ନିଲମ୍ବିତ ହୋଇଥିବା ନିକୁଞ୍ଜ କିଶୋର ପଟ୍ଟନାୟକ, ବିଦ୍ୟୁତ କାଣ୍ଡି ତାପସ ଜେନା ଏବଂ ଶିବ ମଲ୍ଲିକ ରହିଛନ୍ତି।

ଏପରି କରି ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ବିଜେପିର ନିର୍ଦ୍ଦେଶନାମାକୁ ବେଖାତିର କରି ପାଦରେ ଦଳିଚକଟି ଦେଇଛନ୍ତି। ରାଜ୍ୟ ବିଜେପିକୁ ଓପନ୍ ଚ୍ୟାଲେଞ୍ଜ୍ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ଦଳୀୟ ନିଷ୍ପତ୍ତିକୁ ଏପରି ବେଖାତିର କରିବା ଅପରାଜିତାଙ୍କ ପାଇଁ କିଛି ନୂଆ କଥା ନୁହେଁ। ଅତୀତରେ ରାଜ୍ୟ ବିଜେପି ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲା ସଭାପତି ପଦବୀରୁ ହଟାଇ ଡ. ଯତୀନ ମହାନ୍ତିଙ୍କୁ ଜିଲ୍ଲା ସଭାପତି ଭାବରେ ଘୋଷଣା କରିଥିବା ବେଳେ ତାହାକୁ ମାନିନଥିଲେ ଅପରାଜିତା ଷଡ଼ଙ୍ଗୀ। ଉପର ସ୍ତରରେ ଜୋରଦାର ଲବି କରି ରାଜ୍ୟ ବିଜେପିର ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ ଅପରାଜିତା। ରଶ୍ମିରଞ୍ଜନ ମହାପାତ୍ର ଜିଲ୍ଲା ସଭାପତି ଭାବରେ ପୁନଃଅବସ୍ଥାପିତ ହୋଇଥିଲେ। ସେହିପରି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ଏକ ମଣ୍ଡଳ ସଭାନେତ୍ରୀ ଥିବା ସବିତା ପଟ୍ଟନାୟକଙ୍କୁ ଦଳ ପଦବୀରୁ ହଟାଇବା ପରେ ଅପରାଜିତା ତାଙ୍କୁ ହିଁ ସାଙ୍ଗରେ ଧରି ବୁଲିଲେ। ପରବର୍ତ୍ତୀ ସମୟରେ ମଣ୍ଡଳ ସଭାନେତ୍ରୀ ପଦବୀରୁ ପ୍ରମୋସନ ପାଇ ସବିତା ତା’ ଠାରୁ ବଡ଼ ପଦବୀ ପାଇଲେ। ଏବେ ପୁଣି ବିଜେପିକୁ ଚ୍ୟାଲେଞ୍ଜ୍ ଦେଇଛନ୍ତି ଅପରାଜିତା। ଦେଖାଯାଉ ଏଥର ବିଜୟ କାହାର ହେଉଛି ଦଳର, ନାଁ ଅପରାଜିତାଙ୍କର?

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles