ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠୀଙ୍କ ବିୟୋଗ ଘଟିଛି। ସୂଚନା ମୁତାବକ ଉଚ୍ଚ ରକ୍ତଚାପ ମଧ୍ୟରେ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ନିଦରୁ ଉଠି ସେ ପଡ଼ି ଯାଇଥିଲେ ଏବଂ ତାଙ୍କ ମୁଣ୍ଡ ପଛପଟ ଜୋରରେ ମାଡ଼ ହୋଇଥିଲା। ତୁରନ୍ତୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ନୀଳାଚଳ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରାୟ ୧୫ ଦିନ ତଳେ ପ୍ରମୋଦ ତ୍ରିପାଠୀଙ୍କ ବଡ଼ ଭାଇ ଭିକାରୀ ତ୍ରିପାଠୀଙ୍କ ବିୟୋଗ ଘଟିଥିଲା। ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଚାକିରୀ ଛାଡ଼ି ରାଜନୀତିରେ ପ୍ରବେଶ କରିଥିବା ପ୍ରମୋଦ ତ୍ରିପାଠୀ ସ୍ବର୍ଗତ ନେତା ଲୁଲୁ ମହାପାତ୍ରଙ୍କ ସହିତ ଅତି ଅନ୍ତରଙ୍ଗ ଥିଲେ। କଂଗ୍ରେସରୁ ରାଜନୀତି ଆରମ୍ଭ କରି ପରବର୍ତ୍ତୀ ମୁହୂର୍ତ୍ତରେ ବିଜେଡିରେ ଯୋଗ ଦେଇଥିଲେ ପ୍ରମୋଦ ତ୍ରିପାଠୀ। ତେବେ, ଗତ ନିର୍ବାଚନରେ ବିଜେପିକୁ ସହଯୋଗ କରିଥିଲେ ପ୍ରମୋଦ ତ୍ରିପାଠୀ। ରାମେଶ୍ୱର ପଞ୍ଚାୟତର ତିନି ଥର ସରପଞ୍ଚ ଓ ଥରେ ସମିତି ସଭ୍ୟ ରହି ସାରିଛନ୍ତି ସ୍ୱର୍ଗତ ପ୍ରମୋଦ ତ୍ରିପାଠୀ। ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରିବା ନେଇ କେବଳ ରାମେଶ୍ୱର ପଞ୍ଚାୟତ ନୁହେଁ ଆଖପାଖ ପଞ୍ଚାୟତରେ ଖୁବ ପରିଚିତ ଥିଲେ ପ୍ରମୋଦ ତ୍ରିପାଠୀ। ଦିବଙ୍ଗତ ନେତା ପ୍ରମୋଦ ତ୍ରିପାଠୀଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି।