ଭୁବନେଶ୍ୱର: ଆଜିଠୁ ରାଜ୍ୟବ୍ୟାପୀ ସେବିକା (ନର୍ସ)ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ସଙ୍କଟରେ ପଡ଼ିବ ସ୍ଵାସ୍ଥ୍ୟସେବା। ରାଜ୍ୟର ୧୫ ହଜାର ୧୨୨ ଜଣ ସେବିକା ତଥା ନର୍ସିଂ ଅଫିସର୍ କାର୍ଯ୍ୟ ବନ୍ଦ କରିବେ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ଡକରାକୁ ସମର୍ଥନ ଜଣାଇ ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ସେବିକା ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ବୁଧବାର ପୂର୍ବାହ୍ନରୁ ଧାରଣା ଦିଆଯିବା ସହ କାର୍ଯ୍ୟବନ୍ଦ କରି ଦିଆଯିବ। କେବଳ ଜରୁରୀକାଳୀନ ସେବା ଯେପରିକି କାଜୁଆଲିଟି, ପ୍ରସବଗୃହ, ଆଇସିୟୁ ଏବଂ ଜରୁରୀକାଳୀନ ଓ.ଟିରେ ସେବିକାମାନେ ଯୋଗ ଦେବେ। ଏହାବ୍ୟତୀତ ମେଡିକାଲର ଅନ୍ୟ କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟବନ୍ଦ ଡାକରା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଲୋଚନାକୁ ଡାକିଛି ବୋଲି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସମ୍ପାଦକ ଅଶ୍ୱିନୀ ଦାସ ସୂଚନା ଦେଇଛନ୍ତି। ପୂର୍ବରୁ ୧୦ ଦଫା ଦାବିରେ ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନରୁ ଓହରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିବେଦନ କରିବା ସହ ଏକ ମାସ ଭିତରେ ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ସରକାର ନିଜ ପ୍ରତିଶ୍ରୁତି ପାଳନ କରିନାହାନ୍ତି। ଏଣୁ ଏବେ କାର୍ଯ୍ୟବନ୍ଦ ଡାକରା ଶୁଣି ପୁଣିଥରେ ଆଲୋଚନାକୁ ଡାକିଛନ୍ତି। ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟସଚିବଙ୍କ ସହ ଆଲୋଚନା କରିବ। ହେଲେ ବୁଧବାର ପୂର୍ବାହ୍ନରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ହେବ ବୋଲି ଅଶ୍ୱିନୀ କହିଛନ୍ତି। ଆଲୋଚନା ସଫଳ ନହେଲେ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ସିଏଚ୍ସି, ପିଏଚ୍ସି, ୟୁପିଏଚ୍ସି ଆଦିରେ ସ୍ୱାସ୍ଥ୍ୟ ସେବା ବିଗିଡ଼ି ଯିବାର ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟ ସରକାର ପ୍ରତିଶ୍ରୁତି ପାଳନ କରି ନଥିବାରୁ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଭଳି ଚରମ ନିଷ୍ପତ୍ତି ନେଇଛି। ୧୦ ଦଫା ଦାବିରେ ଗତ ଅଗଷ୍ଟ ୧୦ ତାରିଖରେ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ସେହି ମାସ ୨୦ ତାରିଖ ପର୍ଯ୍ୟନ୍ତ ନର୍ସିଂ ଅଫିସରମାନେ କଳାବ୍ୟାଜ୍ ପିନ୍ଧି ଟୋକନ୍ ଷ୍ଟ୍ରାଇକ୍ କରିଥିଲେ। ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ସ୍ୱାସ୍ଥ୍ୟସେବାରେ ଯୋଗ ଦେବା ସହିତ ଆନ୍ଦୋଳନ ଜାରି ରଖିଥିଲେ। ୨୩ ତାରିଖରେ ଲୋୟର ପିଏମ୍ଜିରେ ଧାରଣା ଦିଆଯାଇଥିଲା। ଦାବି ପୂରଣର ପ୍ରତିଶ୍ରୁତି ଦେଇ ୨୪ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲା। ବୈଠକରେ କୁହାଯାଇଥିଲା ଯେ ଏକ ମାସ ଭିତରେ ସମସ୍ତ ଦାବି ପୂରଣ ହେବ। ହେଲେ ପ୍ରତିଶ୍ରୁତି ଅବଧି ପୂରଣ ହୋଇଥିବାରୁ ସଂଘ ଏବେ କାର୍ଯ୍ୟବନ୍ଦକୁ ଓହ୍ଲାଇବା ପାଇଁ ସ୍ଥିର କରିଛି।
ସୂଚନାଯୋଗ୍ୟ, ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ୧୦ଟି ପ୍ରମୁଖ ଦାବି ରହିଛି। ଦାବିଗୁଡ଼ିକ ହେଲା, ୨୦୧୩ ନଭେମ୍ବର ୧୨ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ଚାକିରିରେ ମିଶାଇ ପଦୋନ୍ନତି କରିବା, ଯୋଗ୍ୟତା ଅନୁଯାୟୀ ବରିଷ୍ଠ ନର୍ସିଂ ଅଫିସରଙ୍କୁ ପଦୋନ୍ନତି ଦିଆଯିବା, ସହକାରୀ ନର୍ସିଂ ଅଧୀକ୍ଷକ ପଦରେ ପଦୋନ୍ନତି ଲାଗି ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ ହ୍ରାସ କରି ୧୬ ବର୍ଷରୁ ଅଧିକ ଦିନ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସରଙ୍କୁ ଏକ ସଙ୍ଗରେ ଦୁଇଟି ପଦୋନ୍ନତି ମିଳିବା, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନର୍ସିଂ ଅଫିସରଙ୍କୁ ସିଏଚଓ ପଦରୁ ଫେରାଇ ଆଣି କ୍ୟାଡର ପୋଷ୍ଟରେ ସରକାରୀ ହସ୍ପିଟାଲରେ ମୁତୟନ କରିବା, ଅନ୍ୟ ରାଜ୍ୟ ପରି ଏନଏଚଏମ ଅଧିନରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସିଏଚଓ ନିଯୁକ୍ତି, କଟକରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଜନିତ କେନ୍ଦ୍ରରେ ୧୮ବର୍ଷରୁ ଊର୍ଦ୍ଧ୍ବ୍ୱ ସମୟ ଧରି କାର୍ଯ୍ୟ କରୁଥିବା ନର୍ସିଂ ଅଫିସରଙ୍କୁ ନିୟମିତ କରିବା, ଏମ୍ଏଚ୍ୟୁ ଓ ଆରବିଏସକେ ଅଧୀନରେ ଦୀର୍ଘ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ନର୍ସିଂ ଅଫିସରଙ୍କୁ ନିୟମିତ କରିବା, ଆଚାର୍ଯ୍ୟ ହରିହର ସ୍ନାତେକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ନର୍ସିଂ ଅଫିସରଙ୍କୁ ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡରେ ଅର୍ନ୍ତଭୁକ୍ତ କରିବା, ଡ୍ରେସ କୋର୍ଡ ପରିବର୍ତ୍ତନ, ଠିକା ସଂସ୍ଥା ମାଧ୍ୟରେ ହେଉଥିବା ନର୍ସିଂ ଅଫିସରଙ୍କ ନିଯୁକ୍ତି ବନ୍ଦ କରିବା ଭଳି ଦାବି ରହିଛି।