ନୂଆଦିଲ୍ଲୀ: ଆମେରିକାର କିଛି ସ୍ଥାନରେ ଏବେ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ବଢିବାରେ ଲାଗିଛି। ମନ୍ଦିର ଉପରେ ଆକ୍ରମଣ ହେବା ସହ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖାଯାଉଛି। ନ୍ୟୁୟର୍କ ପରେ ସାକ୍ରାମେଣ୍ଟୋରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଛି। ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ପଛରେ କିଏ ଅଛି, ତାହା ଜଣାପଡିନାହିଁ। ହିନ୍ଦୁ ବିରୋଧୀ କାର୍ଯ୍ୟକଳାପକୁ ହେଟ୍ କ୍ରାଇମ ବା ଘୃଣା ଅପରାଧ ଭାବେ ବିବେଚନା କରି ତଦନ୍ତ ଚଳାଇଛି ପୋଲିସ। ଆମେରିକାରେ ହିନ୍ଦୁମିସିଆ ବା ହିନ୍ଦୁଙ୍କ ପ୍ରତି ଘୃଣା ମନୋଭାବ ବଢିଚାଲିଛି। ଗତ ୧୦ ଦିନ ମଧ୍ୟରେ ଆମେରିକାରେ ପୁଣି ଏକ ମନ୍ଦିରକୁ ଟାର୍ଗେଟ କରାଯାଇଛି। ହିନ୍ଦୁଙ୍କୁ ଭୟଭୀତ କରିବା ପାଇଁ କରାଯାଉଛି ଉଦ୍ୟମ। କାଲିଫର୍ଣ୍ଣିଆରେ ସାକ୍ରାମେଣ୍ଟୋରେ ଥିବା ସ୍ୱାମୀ ନାରାୟଣ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ମନ୍ଦିରରେ ଭଙ୍ଗାରୁଜା ସହ ହିନ୍ଦୁ ଗୋ- ବ୍ୟାକ୍ ସ୍ଲୋଗାନ ଲେଖାଯାଇ ଭୟର ବାତାବରଣ ସୃଷ୍ଟି କରାଯାଇଛି। ଆକ୍ରମଣ ନେଇ ସ୍ୱାମୀ ନାରାୟଣ ମନ୍ଦିର ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି। ଆମେ ଏହି ଘୃଣା ବିରୋଧରେ ଏକଜୁଟ୍ ଓ ଶାନ୍ତି ପାଇଁ ପ୍ରାର୍ଥନା କରୁଛି ବୋଲି ମନ୍ଦିର ପକ୍ଷରୁ ଏକ୍ସରେ କୁହାଯାଇଛି। ମନ୍ଦିର ଉପରେ ଆକ୍ରମଣ ହୋଇଥିବା ନେଇ ସ୍ଥାନୀୟ ପ୍ରଶାସନ ସ୍ୱୀକାର କରିଛି । ମନ୍ଦିରରେ ଭଙ୍ଗାରୁଜା କରାଯିବା ସହ ପାଇପ ଲାଇନକୁ ଉପଦ୍ରବକାରୀ କାଟି ଦେଇଥିବା ସୂଚନା ଦେଇଛନ୍ତି ଦୁର୍ବୁତ୍ତ। ଭଙ୍ଗାରୁଜା ପରେ ମଧ୍ୟ ବହୁସଂଖ୍ୟାରେ ଲୋକ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ପହଂଚିଥିଲେ। ସେପଟେମ୍ବର ୧୬ ତାରିଖରେ ନ୍ୟୁୟର୍କରେ ମଧ୍ୟ ମନ୍ଦିର ଉପରେ ହୋଇଥିଲା ଆକ୍ରମଣ। ମନ୍ଦିରରେ ଭଙ୍ଗାରୁଜା କରିଥିଲେ ଉପଦ୍ରବକାରୀ। ଲେଖିଥିଲେ ଭାରତ ଓ ହିନ୍ଦୁ ବିରୋଧୀ ସ୍ଲୋଗାନ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଲେଖାଯାଇଥିଲା। ଏହିସବୁ ମନ୍ଦିର ଆକ୍ରମଣ ପଛରେ ଖଲିସ୍ତାନୀ ସମର୍ଥକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ପୋଲିସ ଏହାକୁ ହିନ୍ଦୁମିସିଆ ବା ହିନ୍ଦୁଙ୍କ ପ୍ରତି ଘୃଣା ବୋଲି ଦର୍ଶାଇଛି। ହିନ୍ଦୁ ବିରୋଧୀ କାର୍ଯ୍ୟକଳାପକୁ ହେଟ୍ କ୍ରାଇମ ଭାବେ ଶ୍ରେଣୀଭୁକ୍ତ କରୁଛି ପୋଲିସ।