ପାଟନା: ବିହାରର ଅନେକ ସ୍ଥାନରେ ଜିତିଆ ପର୍ବରେ ଘଟିଯାଇଛି ଦୁଃଖଦ ଘଟଣା। ଜିତିଆ ପର୍ବ ପାଳନ ସମୟରେ ବିଭିନ୍ନ ସ୍ଥାନରେ ପୋଖରୀ ଓ ନଦୀରେ ଗାଧୋଇବା ବେଳେ ୩୭ ଜଣ ଶିଶୁଙ୍କ ସମେତ ପ୍ରାୟ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଜିତିଆ ପର୍ବରେ ଔରଙ୍ଗାବାଦରେ ସର୍ବାଧିକ ଲୋକଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଭାବେ ୪ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଔରଙ୍ଗାବାଦ, ଛପରା, ରୋହତାସ, କୈମୁର, ସିୱାନ, ମୋତିହାରୀ, ବେତିଆ, ବେଗୁସରାୟ, ଗୋପାଳଗଞ୍ଜ, ଭୋଜପୁର, ନାଳନ୍ଦା, ଦରଭଙ୍ଗା, ମଧୁବନୀ, ସମସ୍ତିପୁର ଏବଂ ଅରୱାଲରେ ଲୋକଙ୍କ ଜୀବନ ଯାଇଛି। ସେହିପରି ଗାଧୋଇବା ବେଳେ ପାଣିରେ ବୁଡି ଅନେକ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି। ମୃତ୍ୟୁ ସଂଖ୍ଯା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଜିତିଆ ପର୍ବରେ ସାଧାରଣତଃ ମାଆମାନେ ପୁଅଙ୍କ ଶୁଭ ମନାସୀ କଠୋର ନିର୍ଜଳା ବ୍ରତ ପାଳନ କରିଥାଆନ୍ତି।