ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ ଅମର ସହିଦ୍ ଭଗତ ସିଂ। ୨୮ ସେପ୍ଟେମ୍ବର ଆଜି ତାଙ୍କର ଜନ୍ମ ଜୟନ୍ତୀ। ଭଗତ ସିଂହଙ୍କ ଜନ୍ମଦିନ ଏବଂ ଜନ୍ମସ୍ଥାନକୁ ନେଇ ରହିଛି ବିବାଦ। ସାଧାରଣତଃ ଧରାଯାଏ ଭଗତ ସିଂହଙ୍କ ଜନ୍ମ ପଞ୍ଜାବ ରାଜ୍ୟରେ (ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ) ୧୯୦୭ ମସିହା ସେପ୍ଟେମ୍ବର ୨୭ କିମ୍ବା ୨୮ ତାରିଖରେ ହୋଇଥିଲା। କିନ୍ତୁ, କେତେଜଣ ବିଶ୍ୱାସ କରନ୍ତି ଯେ ଏହା ୧୯ ଅକ୍ଟୋବର ୧୯୦୭ ଏକ ଶିଖ ପରିବାରରେ ହୋଇଥିଲା। କିଷନ ସିଂହ ଏବଂ ବିଦ୍ୟାବତୀଙ୍କର ଔରସରୁ ଜନ୍ମ ନେଇଥିବା ଦ୍ୱିତୀୟ ସନ୍ତାନ ଥିଲେ ଭଗତ ସିଂହ। ଜନ୍ମ ବେଳେ ତାଙ୍କ ବାପା ରାଜନୈତକ କାରଣରୁ କାରାଗାରରେ ଥିଲେ। ଯେବେ ଭଗତ ସିଂହଙ୍କୁ ୧୩ ବର୍ଷ ହେଲା ସେ ତାଙ୍କର ପରିବାରର ସ୍ୱାଧୀନତା ସଂଗ୍ରାମ ବିଷୟରେ ଭଲ ଭାବେ ଜ୍ଞାତ ହୋଇସାରିଥିଲେ। ୧୯୧୯ ମସିହାରେ ତାଙ୍କୁ ଯେବେ ୧୨ ବର୍ଷ ବୟସ ହୋଇଥିଲା ସେ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ଦେଖିବାକୁ ଯାଇଥିଲେ। ଭଗତ ସିଂହଙ୍କ ପିତା କିଷନ ସିଂହ ମହାତ୍ମା ଗାନ୍ଧୀଙ୍କର ସମର୍ଥନବାଦୀ ଥିଲେ। ଯେବେ ଗାନ୍ଧିଜୀ ଇଂରେଜ ସରକାରଙ୍କର ସଂସ୍ଥା ଗୁଡ଼ିକୁ ଛାଡିବା ନିମିତ୍ତ ଡାକରା ଦେଇଥିଲେ ସେବେ ଭଗତ ସିଂହ ତାଙ୍କର ବିଦ୍ୟାଳୟ, ନ୍ୟାସନାଲ କଲେଜ ଅଫ ଲାହୋର ପରିତ୍ୟାଗ କରିଦେଇଥିଲେ। ସମୟାନୁକ୍ରମେ ସେ ଗାନ୍ଧୀଜୀଙ୍କର ଅହିଂସା ନୀତିରୁ ଓହରିଯାଇ ହିଂସା ଏବଂ ବନ୍ଧୁକ ମୁନରେ ହିଁ କେବଳ ରାଜନୈତିକ ସ୍ୱାଧୀନତା ମିଳିବବୋଲି ବିଶ୍ୱାସ ରଖିଥିଲେ। ଭଗତ ସିଂହ ୧୩ ବର୍ଷ ବୟସରେ ପାଠପଢ଼ା ଛାଡ଼ି ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ। ୧୯୨୬ ମସିହା ମାର୍ଚ୍ଚ ମାସରେ ଭଗତ ସିଂହ “ନବ ଯୌବନ ଭାରତ ସଭା” ନାମକ ଏକ ସଂସ୍ଥା ସ୍ଥାପନ କରିଥିଲେ। ପରେ ସେ ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନରେ ଅଂଶଗ୍ରହଣ କରିଥିଲେ। ଗୋଟିଏ ବର୍ଷ ପରେ ପିତାମାତା ତାଙ୍କର ବାହାଘର କରାଇବାକୁ ଚାଁହୁଥିଲେ। ହେଲେ ସେ ଘର ଛାଡି ପଳାଇଥିଲେ ଏବଂ ପଛରେ ଏକ ଚିଠି ଛାଡି ଦେଇଥିଲେ। ସେଥିରେ ଏହା ଲେଖା ହୋଇଥିଲା –
“ମୋର ଜୀବନକୁ ମୁଁ ଏକ ମହାନତମ କାମରେ ଉତ୍ସର୍ଗ କରିସାରିଛି। ତାହା ହେଉଛି ଦେଶର ସ୍ୱାଧୀନତା। ସେଥିପାଇଁ କୌଣସି ଇଛା ବା ଆରାମ ମୋତେ ପ୍ରଲୋଭିତ କରିପାରିବ ନାହିଁ।”
୧୯୨୮ ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପରଖ କରିବା ନିମିତ୍ତ ସାଇମନ କମିଶନ ନାମକ ଏକ ଦଳକୁ ଭାରତ ପଠାଇଥିଲେ। କେତେକ ରାଜନୈତିକ ଦଳ ଗୁଡ଼ିକ ଏହି କମିଶନରେ କେହି ଭାରତୀୟ ନଥିବାରୁ ଏହାର ବହିଷ୍କାର କରିଥିଲେ। ଦେଶସାରା ଏହି କମିଶନର ପରିଭ୍ରମଣ ନିମିତ୍ତ ତୀବ୍ର ବିରୋଧ ଏବଂ ଆନ୍ଦୋଳନ କରାଯାଇଥିଲା। ୩୦ ଅକ୍ଟୋବର ୧୯୨୮ରେ ଯେବେ ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିଲେ ଲାଲା ଲଜପତ ରାୟ ଏହା ବିରୁଦ୍ଧରେ ଏକ ଆନ୍ଦୋଳନ କରିଥିଲେ। ପୋଲିସ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ଯାହାକି ପରେ ବଢିଯାଇ ହିଂସାର ରୂପ ଧାରଣ କରିଥିଲା। ଉପସ୍ଥିତ ପୋଲିସ ସୁପରିଟେଣ୍ଡେଣ୍ଟ ଜେମ୍ସ ଏ. ସ୍କଟ ଲାଠି ଚାଳନାର ଆଦେଶ ଦେଇଥିଲେ। ଏପରିକି ନିଜେ ଲାଲାଜୀଙ୍କୁ ଲାଠିରେ ମାରି ଗୁରୁତର ଆହତ କରିଦେଇଥିଲେ। ନଭେମ୍ବର ୧୯୨୮ରେ ଲାଲାଜୀଙ୍କର ହୃଦଘାତରେ ଦେହାନ୍ତ ହୋଇଥିଲା। ଡାକ୍ତରମାନେ କହିଲେକି ଆଘାତ ଯୋଗୁଁ ତାଙ୍କର ଶରୀରର ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିଲା। ପରେ ଯେବେ ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ପ୍ରସଙ୍ଗଟିର ଆଲୋଚନା ପଡ଼ିଲା। ଏଥିରେ ବ୍ରିଟିଶ ସରକାରର କିଛି ହାତ ନାହିଁ କହି ଏହି ପ୍ରସଙ୍ଗଟି ଏଡ଼ାଇ ଦିଆଗଲା। ଭଗତ ସିଂହ ଲାଲାଜୀ ଥିବା ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନର ଜଣେ ପ୍ରମୁଖ ସଦସ୍ୟ ଥିଲେ। ବିଶ୍ୱାସ କରାଯାଏ ଯେ, ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନର ନାମ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ପରିବର୍ତ୍ତନ କରିବା ପଛରେ ଭଗତ ସିଂହଙ୍କ ପ୍ରମୂଖ ଭୂମିକା ଥିଲା। ଏହି ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ଲାଲାଜୀଙ୍କର ବଳିଦାନର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା ନେଲା। ଭଗତ ସିଂହ ଶିଭରାମ ରାଜଗୁରୁ, ଶୁଖଦେବ ଠାପର ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଜେମ୍ସ ଏ. ସ୍କଟଙ୍କୁ ମାରିବାର ବନ୍ଦୋବସ୍ଥ କଲେ। କିନ୍ତୁ ଭୁଲବଶତଃ ସ୍କଟଙ୍କ ସ୍ଥାନରେ ଜନ ପି. ସନ୍ଦର୍ଶ ନାମକ ଏକ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ ପୋଲିସଙ୍କୁ ମାରିଦେଲେ। ଏହି ହତ୍ୟା ପରେ ସମାଜର ବିଭିନ୍ନ ବର୍ଗରୁ ନିନ୍ଦା ହେଲା। ମହାତ୍ମା ଗାନ୍ଧୀ ଏହାର ତୀବ୍ର ନିନ୍ଦା କରିଥିଲେ।
ସନ୍ଦର୍ଶଙ୍କୁ ହତ୍ୟା କରିବା ପରେ ଏମାନେ ଡି. ଏ. ଭି. କଲେଜର ଗେଟ ଦେଇ ବାହାରକୁ ଖସିଗଲେ। ଚରଣ ସିଂହ ସେମାନଙ୍କର ପିଛା କରୁଥିଲେ, ହେଲେ ଚନ୍ଦ୍ରଶେଖର ଆଜାଦଙ୍କର ଗୁଳିରେ ଗୁରୁତର ଆହତ ହୋଇଥିଲେ। ପୋଲିସ ସେମାନଙ୍କୁ ଧରିବା ନିମିତ୍ତ ଏକ ବିରାଟ ଟିମ୍ ଗଠନ କରିଥିଲା। ଶୁଖଦେବ, ଭଗବତୀ ଚରଣ ଭୋରାଙ୍କର ପତ୍ନୀ ଦୁର୍ଗାବତୀ ଦେବୀଙ୍କର ସାହାଯ୍ୟ ଲୋଡ଼ିଲେ। ସେମାନେ ପରଦିନ ଭୋରରୁ ଲାହୋରରୁ ବଥିଣ୍ଡା ଦେଇ ହାଓଡ଼ା ଯାଉଥିବା ଟ୍ରେନରେ ପଳେଇବାକୁ ନିଷ୍ପତି ନେଲେ। ଭଗତ ସିଂହ ଏବଂ ରାଜଗୁରୁ ଉଭୟେ ଗୁଳି ଭର୍ତ୍ତି ରିଭଲଭର ଧରି ପରଦିନ ସକାଳୁ ବାହାରିପଡିଲେ। ଭଗତ ସିଂହ ତାଙ୍କର ଶିଖ ବାଳ ଏବଂ ଦାଢ଼ି କାଟି, ଏକ କଣୁଆ ହ୍ୟାଟ ସହ ପାଶ୍ଚାତ୍ୟ ବେଶଭୂଷାରେ ଥିଲେ। ସାଥିରେ ଦୁର୍ଗାବତୀ ଦେବୀ ତାଙ୍କର ଶୋଇଥିବା ଶିଶୁକୁ ଧରିଥିଲେ। ଉଭୟେ ନବ ବିବାହିତା ଦମ୍ପତି ଭଳି ଥିଲେ। ରାଜଗୁରୁ ତାଙ୍କର ଚାକର ଭଳି ବେଶରେ ସେମାନଙ୍କର ଜିନିଷପତ୍ର ବୋହିଥିଲେ। ସେମାନେ କାନପୁର ଯିବାକୁ ଥିବା ରେଳଗାଡ଼ିରେ ଚଢ଼ିଥିଲେ। କାନପୁରରେ ଓଲ୍ହାଇ ସେମାନେ ଲକ୍ଷ୍ନୋ ଯିବା ନିମିତ୍ତ ରେଳରେ ଯାଇଥିଲେ। କାରଣ ସିଆଇଡି ହାଓଡ଼ାରେ ଲାହୋରରୁ ଯାଉଥିବା ଟ୍ରେନରେ ଯାତ୍ରୀ ମାନଙ୍କର ଯାଞ୍ଚ ପରଖ କରୁଥିଲେ। ଲକ୍ଷ୍ନୋ ଠାରୁ ରାଜଗୁରୁ ଅଲଗା ବାରଣାସୀ ଚାଲିଗଲେ। ଅନ୍ୟପକ୍ଷରେ ଏହି ନବ ଦମ୍ପତି ବେଶଭୁଷାଳି ଏବଂ ତାଙ୍କର ସନ୍ତାନ ହାଓଡ଼ା ଗଲେ। ଭଗତ ସିଂହଙ୍କ ଛଡ଼ା ବାକି ସମସ୍ତେ କିଛି ଦିନପରେ ପୁଣି ଲାହୋର ଫେରିଗଲେ। ୭ ଅକ୍ଟୋବର ୧୯୩୦ ମସିହାରେ ବ୍ରିଟିଶ ସରକାର ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ସନ୍ଦର୍ଶଙ୍କ ହତ୍ୟା ଅଭିଯୋଗରେ ଫାଶୀ ଦଣ୍ଡ ଦେଇଥିଲେ। ୨୩ ମାର୍ଚ୍ଚ ୧୯୩୧ରେ ଦେଶ ପାଇଁ ଲଢ଼ି ମାତ୍ର ୨୩ ବର୍ଷ ବୟସରେ ହସି ହସି ଫାଶୀ ଖୁଣ୍ଟିରେ ଝୁଲି ପଡ଼ିଥିଲେ ସହିଦ୍ ଭଗତ ସିଂହ, ଶୁଖଦେବ ଏବଂ ରାଜଗୁରୁ। ଆଜି ସେହି ଅମର ସହିଦ୍ ଭଗତ ସିଂହଙ୍କ ଜନ୍ମତିଥି ଅବସରରେ ଭକ୍ତିପୂତ ନମନ ..।