ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ଆରଡ଼ି ପୀଠର ଆରାଧ୍ୟ ବାବା ଆଖଣ୍ଡଳମଣି ମନ୍ଦିର ନିକଟ ଜଣେ ସେବାୟତଙ୍କ ଘରୁ ମାଟି ତଳୁ ବିରଳ ମୂର୍ତ୍ତି ସହ କୋଟିଏରୁ ଊଦ୍ଧ୍ୱର୍ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଓ ଅନ୍ୟ ଧାତୁର ସାମଗ୍ରୀ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ବାବା ଆଖଣ୍ଡଳମଣି ମନ୍ଦିରର ସେବାୟତ ରବି ନାରାୟଣ ମିଶ୍ରଙ୍କ ଘରେ କିଛି ଦିନ ପୂର୍ବରୁ କିଛି ଅଲୌକିକ ଘଟଣା ଘଟିବାରୁ ସେ ବେଦାଚାର୍ଯ୍ୟ ଭୂତତ୍ତ୍ୱ ପଣ୍ଡିତ ନରୋତ୍ତମ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ନିର୍ଦ୍ଦେଶ କ୍ରମେ ସେବାୟତଙ୍କ ଘରେ ପୂଜାପାଠ, ହୋମଯଜ୍ଞ କରଯାଇଥିଲା। ଘର ଭିତରେ ୬ ଫୁଟ ଲମ୍ୱ ଓ ୬ ଫୁଟ ଓସାର ବିଶିଷ୍ଟ ୧୫ ଫୁଟ ଗଭୀରର ଏକ ଗର୍ତ୍ତ ଖୋଳିବା ପରେ ଏକ ପିତ୍ତଳ ଗରା ଭର୍ତ୍ତି ବିଭିନ୍ନ ପ୍ରକାର ଧାତୁର ସାମଗ୍ରୀ, ସ୍ୱର୍ଣ୍ଣ ଅଳଙ୍କାର ସହ ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକ, ବୃଷଭ ଆଦି ବିରଳ ମୂର୍ତ୍ତି ଉଦ୍ଧାର କରାଯାଇଛି। ପଣ୍ଡିତ ନରୋତ୍ତମ ମିଶ୍ର ଉଦ୍ଧାର ହୋଇଥିବା ସମସ୍ତ ଅଳଙ୍କାର ଏବଂ ମୂର୍ତ୍ତି ସୁନା ହୋଇଥିବା ବୋଲି ଦାବି କରିବା ସହ ଏହା ବାବା ଆଖଣ୍ଡଳମଣିଙ୍କର ସମ୍ପତ୍ତି ହୋଇପାରେ ବୋଲି ଦୃଢ଼ତାର ସହ କରିଛନ୍ତି। ଅନ୍ୟ ପକ୍ଷରେ ସେବାୟତ ରବିନାରାୟଣ ଅଳଙ୍କାର କଥା ଅସ୍ୱୀକାର କରିବା ସହ ମୂର୍ତ୍ତି ଗୁଡ଼ିକ ପିତ୍ତଳ ଧାତୁରେ ଗଢ଼ା ବୋଲି କହିଛନ୍ତି। ଏହି ଖବର ପାଇବା ପରେ ରବିନାରାୟଣଙ୍କ ଘରେ ଦିନତମାମ ସ୍ଥାନୀୟ ଲୋକଙ୍କ ଭିଡ ଲାଗିଛି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ମୂର୍ତ୍ତିଗୁଡିକୁ ଯାଞ୍ଚ କରିବାକୁ ଦାବି ହୋଇଛି।