ଥାଇଲ୍ୟାଣ୍ଡରେ ୪୪ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କୁ ନେଇ ଯାଉଥିବା ଏକ ବସରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଥାଇଲ୍ୟାଣ୍ଡର ଜିର ରଙ୍ଗସିଟ୍ ସପିଂ ସେଣ୍ଟର ନିକଟ ଫାହୋନ୍ ୟୋଥିନ ରୋଡରେ ଏହି ଘଟଣା ଘଟିଛି। ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ସ୍କୁଲ ବସଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଅନୁଯାୟୀ, ୧୬ ଜଣ ଛାତ୍ରଛାତ୍ରୀ ଏବଂ ତିନିଜଣ ଶିକ୍ଷକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି, କିନ୍ତୁ ତାଙ୍କୁ ଖୁବଶୀଘ୍ର ଟ୍ରାକ କରାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।