ଭୁବନେଶ୍ଵର/କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କ୍ଲିନ୍ଚିଟ୍। ପ୍ରତାପଙ୍କ ନାଁ’ରେ ତଳକୋର୍ଟ ମାମଲାକୁ ଖାରଜ କରିଦେଲେ ହାଇକୋର୍ଟ। ତଳକୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ପ୍ରତାପ ଜେନା। ସୂଚନାଯୋଗ୍ୟ ଯେ, ମାହାଙ୍ଗା ଡବଲ ମର୍ଡର ମାମଲାରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ ଜେନା। ସୂଚନା ମୁତାବକ, ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍ରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ’ ନଥିବାରୁ ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହାପରେ ସାଲେପୁର କୋର୍ଟଙ୍କ ପୁନଃତଦନ୍ତ ନିର୍ଦ୍ଦେଶ ପରେ ପ୍ରତାପଙ୍କ ନାଁ’ ଯୋଡ଼ିଥିଲା ପୋଲିସ୍। ତଳକୋର୍ଟରେ ତାଙ୍କ ନାଁ’ ଯୋଡ଼ାଯିବା ପରେ ହାଇକୋର୍ଟ ଯାଇଥିଲେ ପ୍ରତାପ ଜେନା। ମଙ୍ଗଳବାର ଦିନ ତଳକୋର୍ଟ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ହାଇକୋର୍ଟଙ୍କ ରାୟ ପରେ ଏକ୍ସ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଜେନା। ସତ୍ୟର ସବୁବେଳେ ଜୟ ହୁଏ। ଯେଉଁଠାରେ ଠାକୁର ଶ୍ରୀଜଗନ୍ନାଥ ଅଛନ୍ତି, ସେଠାରେ ଅନ୍ୟାୟ କେବେ ବି ଟିକିପାରିବ ନାହିଁ ବୋଲି ଲେଖିଛନ୍ତି ପ୍ରତାପ ଜେନା।
https://x.com/jenapratap66/status/1841073363944706131?t=Y2ptqNPr2mmJrjuqeda8EQ&s=08
ସୂଚନାଯୋଗ୍ୟ ଯେ ଗତ ୨୦୨୧ ଜାନୁଆରି ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ମୋଟ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବାବେଳେ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ଉକ୍ତ ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ସାଲେପୁର ଏଡିଜେ କୋର୍ଟ। ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ମାହାଙ୍ଗା ଡବଲ ମର୍ଡର ଘଟଣାରେ ଯେଉଁ ୧୩ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ସେଥିରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କ ନାଁ’ ରହିଥିଲା। ଏହି ଘଟଣାରେ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଚାର୍ଜସିଟରୁ ନାଁ’ ହଟାଇବା ଲାଗି ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।