ଭୁବନେଶ୍ୱର: ଅଭିନବ ଉପାୟରେ କଲେ ଡକାୟତି। ଘରେ ପଶିବା ପାଇଁ କୁକୁଡ଼ାକୁ କଲେ ମୋହରା। ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଦେଲେ। କୁକୁଡାଙ୍କ ଶବ୍ଦ ଶୁଣି ପରିବାର ଲୋକେ ଉଠି ବାହାରକୁ ଆସିବାରୁ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁ’ରେ ଘଟିଛି ଏପରି ଏକ ଡକାୟତି। ବୁଧବାର ବିଳମ୍ବିତ ରାତିରେ ଘଟିଛି ଏପରି ଘଟଣା। ୬ ଜଣ ଡକାୟତ ମୁହଁରେ କଳାକପଡ଼ା ବାନ୍ଧି ଆସି ମାଧବ ସେଠୀଙ୍କ ଘରେ ପଶିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ କୁକୁଡ଼ାକୁ କରିଥିଲେ ମୋହରା। ଘର ସମ୍ମୁଖରେ ଥିବା କୁକୁଡ଼ା ଭାଡ଼ିରୁ କୁକୁଡା ଗୁଡ଼ିକୁ ଖୋଲି ଦେଇଥିଲେ। କୁକୁଡ଼ାମାନେ ରାତିରେ ବାହାରକୁ ଆସି ଜୋରରେ ଶବ୍ଦ କରିଥିଲେ। କୁକୁଡ଼ାଙ୍କ ଶବ୍ଦ ଶୁଣି ଘର ଲୋକେ ବାହାରକୁ ଆସିବା ପରେ ଦୁର୍ବୃତ୍ତମାନେ ଘରେ ପଶି ଯାଇଥିଲେ। ଘରର ସ୍ତ୍ରୀ ଲୋକଙ୍କ ବେକରେ ଛୁରୀ ଲଗାଇ ସୁନା ଗହଣା ମାଗିଥିଲେ। ଅଳଙ୍କାର ନଦେବାରୁ ଛୋଟ ପିଲାଙ୍କୁ ମାରିବାକୁ ଧମକ ମଧ୍ୟ ଦେଇଥିଲେ। ଏହାକୁ ଘରର ପୁରୁଷ ଲୋକେ ବିରୋଧ କରିବାରୁ ସେମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଘରୁ ଲୁଟ୍ କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ଘରର ୪ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ଦୁର୍ବୃତ୍ତମାନେ ଲୁଟ୍ କରି ଫେରାର ହୋଇଥିଲେ। ଘର ମାଲିକ ମାଧବ ସେଠୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।