- ଯା’ କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶୁଭ୍ର ବସ୍ତ୍ରବୃତ୍ତା,
ଯା’ ବୀଣା ବରଦଣ୍ଡ ମଣ୍ଡିତକରା, ଯା’ ଶ୍ୱେତ ପଦ୍ମାସନା
ବସନ୍ତ ପଞ୍ଚମୀ, ଶ୍ରୀପଞ୍ଚମୀ ବା ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ। ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସ ବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଳନ କରାଯାଇଥାଏ। ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି। ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରହିଥାଆନ୍ତି। ଏଇ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାଆନ୍ତି। ମା’ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି। ମା’ ସରସ୍ୱତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାଆନ୍ତି।
ମାଘମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ଭାବେ ପାଳନ କରାଯାଏ। ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କୁ ମାଘ ଶୁକ୍ଳ ପଞ୍ଚମୀ ତିଥିରେ ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ। ଶୁକ୍ଳ ପ୍ରତିପଦାଠାରୁ ଆରମ୍ଭ ହେଇଥାଏ ଗୁପ୍ତ ନବରାତ୍ର। ଏହି ଗୁପ୍ତ ନବରାତ୍ରରେ ଦୈବୀ ଶକ୍ତିଙ୍କର ପୂର୍ଣ୍ଣ ପ୍ରଭାବଥାଏ। ମା’ ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା। ମା’ ସରସ୍ୱତୀ, ମା’ ଲକ୍ଷ୍ମୀ , ମା’ କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର। ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାଆନ୍ତି। ସରସ୍ୱତୀ ପୂଜା ଦିନ ସୂର୍ଯ୍ୟୋଦୟ ପୂର୍ବରୁ ବିଦ୍ୟାର୍ଥୀଗଣ ଉଠି ଫୁଲ ତୋଳନ୍ତି। ଘରକୁ ଫୁଲକୁ ଆଣି ଗାଧୋଇ ସାରି ଉପବାସ କରିବା ସଙ୍ଗେସଙ୍ଗେ ନୂଆ ବସ୍ତ୍ର ପରିଧାନ କରି ଫୁଲରେ ମାଳ ଗୁନ୍ଥି ଦେବୀ ସରସ୍ୱତୀଙ୍କ ପୂଜା କରି ପୁଷ୍ପାଞ୍ଜଳି ଦିଅନ୍ତି। ପୁଷ୍ପମାଳା ସୁଶୋଭିତ ଦେବୀଙ୍କ ମୂର୍ତ୍ତି ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଆଦି ବାଦ୍ୟ ବାଦନ ମଧ୍ୟରେ ପୂଜିତ ହୁଅନ୍ତି। କୁନ୍ଦପୁଷ୍ପ ଦେବୀ ସରସ୍ୱତୀଙ୍କର ଅତି ପ୍ରିୟ। ଭୋଗ ଭାବେ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ। ପଞ୍ଚାମୃତ ରୂପରେ ଦୁଧ, ଘିଅ, ଦହି, ମହୁ ଓ ଶର୍କରା ଏକତ୍ର କରି ଦେବୀଙ୍କୁ ପ୍ରଦାନ କରାଯାଏ। ଦେବୀଙ୍କ ଆଗରେ ହୋମ ମଧ୍ୟ କରାଯାଏ। ସରସ୍ୱତୀ ପୂଜା ଦିନ ପୁରାଣ ଗ୍ରନ୍ଥ ସହ ନିଜର ପୁସ୍ତକାଦି ପୂଜା କରିବା ବିଧେୟ। ଏହି ଦିନ ଧଳାବସ୍ତ୍ର, ଧଳାଫୁଲ, ଫଳ ମା’ ସରସ୍ୱତୀଙ୍କୁ ଅର୍ପଣ କରାଯାଏ। ମା’ ସରସ୍ୱତୀଙ୍କ ଆରାଧନା, ପୂଜାରେ ଦହି, ଧଳା ଫୁଲ, ଚନ୍ଦନ, ଆଖୁ, ଖିରୀ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର ,ଅଦା, ଅଁଳା, ଘିଅ, ନଡ଼ିଆ, ଋତୁଫଳ ସ୍ୱରୂପ ବରକୋଳି ଅର୍ପଣ କରାଯାଏ।