ବସନ୍ତ ପଞ୍ଚମୀ, ଶ୍ରୀପଞ୍ଚମୀ ବା ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଦିନ ପାଳନ କରାଯାଏ। ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସ ବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା କରାଯାଏ। ତେବେ, ଅନେକ ହୁଏତ ଜାଣିନଥିବେ, ବସନ୍ତ ପଞ୍ଚମୀ ଦିନ ବିଦ୍ୟାପ୍ରାପ୍ତି ନିମିତ୍ତ ସରସ୍ୱତୀ ପୂଜା କରାଯିବା ସହିତ ଏହିଦିନ ପ୍ରେମ ପାଇଁ ମଧ୍ୟ ପୂଜା କରାଯାଇଥାଏ। ବସନ୍ତ ପଞ୍ଚମୀକୁ ମଧ୍ୟ ପ୍ରେମ ଦିବସ ବୋଲି କୁହାଯାଇ ପାରେ। ବସନ୍ତ ପଞ୍ଚମୀ ଦିନ ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀଙ୍କ ପୂଜା ସହିତ ଏହିଦିନ ପ୍ରେମ ପାଇଁ ପ୍ରେମର ଦେବାଦେବୀ କାମଦେବ ଏବଂ ରତିଙ୍କ ପୂଜା ଉପାସନା କରାଯାଇଥାଏ। ହିନ୍ଦୁ ଧର୍ମରେ ‘ରତି’ ପ୍ରେମ, ଆନନ୍ଦ ଏବଂ ଯୌନତାର ଦେବୀ ଭାବେ ପରିଚିତ। ରତି ‘କାମଦେବ’ଙ୍କ ସ୍ତ୍ରୀ ଏବଂ ସଉନ୍ଦର୍ଯ୍ୟ ତଥା ରମଣୀୟତାର ପ୍ରତୀକ। ରତିଙ୍କୁ ସୁନ୍ଦର, ଯୌବନମୟ ଏବଂ ମଧୁର ଭାବରେ ବର୍ଣ୍ଣନା କରାଯାଏ। ହିନ୍ଦୁ ପୁରାଣ ଗୁଡ଼ିକରେ ସେ ପ୍ରେମ ଓ ସଂସାରିକ ଖୁସିର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଦେବୀ। ରତି ଦକ୍ଷ ପ୍ରଜାପତିଙ୍କ ଝିଅ ଏବଂ ମନୋହରି ସୁନ୍ଦରୀ। ରତି ନାମର ଅର୍ଥ ଆନନ୍ଦ ବା ମାନସିକ ସନ୍ତୋଷ। ସେ ପ୍ରେମ ଏବଂ ଭାବନା ଗୁଡ଼ିକୁ ନିୟନ୍ତ୍ରଣ କରନ୍ତି। ରତି ମଧୁରତା, ସମ୍ମୋହନ ଏବଂ ସଉନ୍ଦର୍ଯ୍ୟର ଦେବୀ ଭାବରେ ବର୍ଣ୍ଣିତ। ସେହିପରି କାମଦେବ ପ୍ରେମ, ଆକର୍ଷଣ ଏବଂ ଆସକ୍ତିର ଦେବତା ଭାବେ ପରିଚିତ। କାମଦେବ ମଧ୍ୟ ମଦନ, ମନ୍ମଥ ଏବଂ ଅନଙ୍ଗ ନାମରେ ପରିଚିତ। କାମଦେବଙ୍କୁ ସୁନ୍ଦର, ଯୌବନମୟ ଏବଂ ପୁଷ୍ପ- ଧନୁଧରୀ ଭାବରେ ବର୍ଣ୍ଣନା କରାଯାଏ।
କାମଦେବଙ୍କ ଧନୁ ପୁଷ୍ପମୟ, ଏବଂ ସେ ପଞ୍ଚସର ବା ପଞ୍ଚତୀର (ପାଞ୍ଚଟି ପ୍ରେମତୀର) ନାମକ ଅସ୍ତ୍ର ବ୍ୟବହାର କରନ୍ତି। ଏହି ପଞ୍ଚତୀର ହେଉଛି ମୋହନ, ସ୍ଥମ୍ଭନ, ଡ୍ରାଭଣ, ଉନ୍ମାଦନ ଏବଂ ସମ୍ମୋହନ। ପୂରାଣ ଅନୁଯାୟୀ, ଶିବ ତପସ୍ୟାରେ ଲୀନ ଥିଲେ। ଏହି ସମୟରେ ପାର୍ବତୀଙ୍କ ସହିତ ମହାଦେବଙ୍କ ବିବାହ ସଂପନ୍ନ କରିବା ପାଇଁ ଦେବତାମାନେ କାମଦେବଙ୍କୁ ପଠାଇଥିଲେ। କାମଦେବ ତାଙ୍କ ଅସ୍ତ୍ର ପ୍ରେମତୀର ଦ୍ୱାରା ଶିବଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କଲେ। ଏହାଦ୍ୱାରା ଶିବଙ୍କ ଧ୍ୟାନ ଭଗ୍ନ ହେଲା। ଶିବ ଅତ୍ୟନ୍ତ କ୍ରୋଧିତ ହୋଇ ତାଙ୍କ ତୃତୀୟ ନୟନର ଅଗ୍ନି ଦ୍ୱାରା କାମଦେବଙ୍କୁ ଭସ୍ମ କରିଦେଲେ। ଏହାପରେ ରତି (କାମଦେବଙ୍କ ସ୍ତ୍ରୀ) କାମଦେବଙ୍କୁ ଜୀବଦାନ ଦେବା ପାଇଁ ଶିବଙ୍କୁ ପ୍ରାର୍ଥନା କଲେ। ରତିଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶିବ କାମଦେବଙ୍କୁ “ଅନଙ୍ଗ” (ନିରଦେହୀ ରୂପେ) ପୁନର୍ଜୀବନ ଦେଲେ। ପ୍ରାଚୀନ କାଳରେ ରାଜା ମହାରାଜା ମାନେ ବସନ୍ତ ପଞ୍ଚମୀକୁ ‘ରତିକାମ ମହୋତ୍ସବ’ ବା “କୌମୁଦୀ ମହୋତ୍ସବ” ରୂପେ ପାଳନ କରୁଥିଲେ। ଫୁଲରେ ରାଜଉଆସ ସଜା ହେଉଥିଲା। ଫୁଲର ଦୋଳିରେ ରାଜାରାଣୀ ଦୋଳି ଖେଳୁଥିଲେ। ପ୍ରଜାମାନେ ଆସି ରାଜ ଉଆସରେ ଭୋଜନ କରୁଥିଲେ। ମାଘ ପଞ୍ଚମୀରେ ଗୋପୀମାନେ ମଧ୍ୟ କୃଷ୍ଣଙ୍କ ସହ ରାସ ଉତ୍ସବ ମନାଉଥିଲେ। ଏବେ ମଧ୍ୟ କେତେକ ଅଞ୍ଚଳରେ ପବିତ୍ରତାର ସହ ଉଭୟ ସ୍ୱାମୀ- ସ୍ତ୍ରୀ ବା ପ୍ରେମିକ – ପ୍ରେମିକା ମାଘ ଶୁକ୍ଳ ପଞ୍ଚମୀକୁ ପ୍ରେମ ଦିବସ ରୂପେ ପାଳନ କରିଥାଆନ୍ତି। କାମଦେବ ଓ ରତିଙ୍କୁ ହଳଦିଆ ଫୁଲରେ ପ୍ରତିମା କରି ଦାମ୍ପତ୍ୟ ସୁଖପାଇଁ ପୂଜା କରିଥାଆନ୍ତି। ଶାସ୍ତ୍ର ଅନୁସାରେ ଶ୍ରୀପଞ୍ଚମୀ ଦିନ ବିବାହ, ନିର୍ବନ୍ଧ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଯେଉଁମାନଙ୍କର ବିବାହ ହେଇପାରୁନି , ସେମାନେ ଏହି ସମୟରେ ଶ୍ରଦ୍ଧା ଭକ୍ତିର ସହ ହଳଦୀ ଲଗାଇ ସ୍ନାନକରି ହଳଦିଆ ବସ୍ତ୍ର ପରିଧାନ କରି କୃଷ୍ଣ ଭଗବାନଙ୍କୁ ହଳଦିଆ ବସ୍ତ୍ରରେ ସଜାଇ ହଳଦିଆ ଫୁଲରେ ସଜାହେଇଥିବା ଝୁଲାରେ ଝୁଲାଇ ବସନ୍ତ ଉତ୍ସବ ପାଳନ କଲେ ବିବାହ ସହଜରେ ହୋଇଯାଏ ବୋଲି ବିଶ୍ୱାସ ରହିଛି।