Wednesday, June 18, 2025

ବିକଶିତ ଗାଁ’ – ବିକଶିତ ଓଡ଼ିଶା: ୫ରେ ଖୋର୍ଦ୍ଧା ଜଙ୍କିଆରୁ ଯୋଜନା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ..

ଭୁବନେଶ୍ୱର: ଫେବୃଆରୀ ୫ ତାରିଖରେ ‘ବିକଶିତ ଗାଁ’ – ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ମିନି ଷ୍ଟାଡିୟମରେ ଏହାର ଶୁଭାରମ୍ଭ ହେବ। ପ୍ରତି ଜିଲ୍ଲା ମୁଖ୍ୟାଳୟ ଗୁଡ଼ିକରେ ମଧ୍ୟ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ। ଏଠାରେ ଏଲ୍‌ଇଡି ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ। ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ରହିବେ। ସେହିଭଳି ୩୧୪ ବ୍ଲକ୍‌ରେ ମଧ୍ୟ ମୁଖ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ। ଏହି ଯୋଜନାର ଶୁଭାରମ୍ଭର ବ୍ୟାପକ ପ୍ରଚାରପ୍ରସାର କରାଯିବ। ଯୋଜନାର ପ୍ରଚାର ପାଇଁ ପ୍ରତି ବ୍ଲକ୍‌କୁ ଏକ ଲକ୍ଷ ଟଙ୍କାର ପାଣ୍ଠି ଦିଆଯିବ । ସେହିଭଳି ଯୋଜନା ଶୁଭାରମ୍ଭ ଦିନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ୩୧୪ଟି ବ୍ଲକ୍‌କୁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଜିଲ୍ଲା ସ୍ତରର କାର୍ଯ୍ୟକ୍ରମ ପାଇଁ ପ୍ରତି ଜିଲ୍ଲାକୁ ୩ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ଆୟୋଜନ ଓ ପ୍ରଚାରପ୍ରସାର ବାବଦରେ ପଞ୍ଚାୟତିରାଜ ବିଭାଗ ମୋଟ ୯ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ। ସୂଚନାଯୋଗ୍ୟ ଯେ ପୂର୍ବ ସରକାର ସମୟରେ ଆମ ଓଡ଼ିଶା, ନବୀନ ଓଡ଼ିଶା ନାଁ’ରେ ଏହା କାର୍ଯ୍ୟକାରୀ ହେଉଥିଲା । ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କାର ପାଣ୍ଠି ମିଳୁଥିଲା। ନୂଆ ସରକାର ଏହି ଯୋଜନାର ନାଁ’ ବଦଳାଇବା ସହିତ ଏହାକୁ ନୂଆ ଢଙ୍ଗରେ କାର୍ଯ୍ୟକାରୀ କରିବେ। ଏଥିପାଇଁ ବିସ୍ତୃତ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଗ୍ରାମସଭା ଜରିଆରେ ଫେବ୍ରୁଆରୀ ୧୪ତାରିଖ ସୁଦ୍ଧା ଯୋଜନାର ପ୍ରକଳ୍ପ ତାଲିକା ତିଆରି ପାଇଁ ସବୁ ପଞ୍ଚାୟତକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକେ ଗ୍ରାମସଭାରେ ରହି ଗାଁ’ ଓ ପଞ୍ଚାୟତ ପାଇଁ ପ୍ରକଳ୍ପ ଚୂଡ଼ାନ୍ତ କରିବେ। ଲୋକଙ୍କ ମତ ଓ ଆବଶ୍ୟକ ଆଧାରରେ ୫ ବର୍ଷିଆ ପ୍ରକଳ୍ପ ତାଲିକା ତିଆରି ହେବ। ୫ ତାରିଖ ସୁଦ୍ଧା ବ୍ଲକ୍‌ରେ ଏହି ତାଲିକା ଦାଖଲ ହେବ। ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ନିର୍ଦ୍ଦିଷ୍ଟ ଭାବେ କେବେ ଟଙ୍କାର ପାଣ୍ଠି ଦିଆଯିବ ତାହା ଚୂଡ଼ାନ୍ତ ହୋଇନି। ଜନସଂଖ୍ୟା ଓ ପ୍ରକଳ୍ପ ଆବଶ୍ୟକ ଦେଖି ଜିଲ୍ଲା ପରିଷଦ ମାଧ୍ୟମରେ ପାଣ୍ଠି ବଣ୍ଟାଯିବ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବ୍ଲକ୍‌କୁ ଯୋଜନାର ସିଂହଭାଗ ପାଣ୍ଠି ଦେବାକୁ ପଞ୍ଚାୟତିରାଜ ବିଭାଗ ଯୋଜନା କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles