୧୨ ମାସରେ ତେର ପର୍ବ। ଓଡ଼ିଶାରେ ଆୟୋଜିତ ପର୍ବପର୍ବାଣି ମଧ୍ୟରେ ଦୋଳ ପୂର୍ଣ୍ଣିମା ଅନ୍ୟତମ। ଏହି ଅବସରରେ ଓଡ଼ିଶାର ବିଭିର୍ଣ୍ଣ ଗାଁ’ ଗହଳିରେ ଆୟୋଜିତ ହୁଏ ଦୋଳଯାତ୍ରା। ଫଗୁ ଦଶମୀ ଠାରୁ ଆରମ୍ଭ ହୋଇଯାଏ ଦୋଳଯାତ୍ରା। କେତେକ ସ୍ଥାନରେ ଫଗୁ ଦଶମୀରୁ ଆରମ୍ଭ ହେଇ ଦୋଳ ପୂର୍ଣ୍ଣିମା ଦିନ ଦୋଳଯାତ୍ରା ସମାପ୍ତ ହୋଇଥାଏ ତ’ କେଉଁଠି ଦୋଳ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇଥାଏ ଦୋଳଯାତ୍ରା। ଦୋଳ ପୂର୍ଣ୍ଣିମା ଏବଂ ଦୋଳଯାତ୍ରାର ଗୁରୁତ୍ଵ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଓଡ଼ିଶାର ବିଭିର୍ଣ୍ଣ ସ୍ଥାନରେ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦଭାବ ଏବଂ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ଏହା ପାଳିତ ହୋଇଥାଏ। ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ଵାଗତ ଜଣାଇବା ପାଇଁ ଦୋଳଯାତ୍ରା ଆୟୋଜିତ ହୋଇଥାଏ। ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ଜଣାପଡ଼େ ଯେ, ପ୍ରାୟ ୮ ଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି। ଦୋଳ ପୂର୍ଣ୍ଣିମା ଅବସରରେ ଗ୍ରାମ ଦେବାଦେବୀ ଏକ ଚଉଦୋଳରେ ବିରାଜମାନ ହୋଇ ସାହି ସାହି ବୁଲି ଘରେ ଘରେ ଭୋଗ ଖାଇ ଥାଆନ୍ତି। ଯେଉଁଠାରେ ଦୋଳଯାତ୍ରା ଆୟୋଜିତ ହୁଏ ଆଖପାଖ ଗାଁ’ ର ଦେବାଦେବୀ ସେଠାକୁ ଆସିଥାଆନ୍ତି। ଦୋଳଯାତ୍ରା ପାଇଁ ଉଦିଷ୍ଟ ଦୋଳ ପଡ଼ିଆ ବା ମେଳଣ ପଡ଼ିଆରେ ନିମନ୍ତ୍ରିତ ବିଭିର୍ଣ୍ଣ ଗ୍ରାମ ଦେବଦେବୀଙ୍କ ନିମନ୍ତେ ଭିର୍ଣ୍ଣ ଭିର୍ଣ୍ଣ ତଥା ସ୍ୱତନ୍ତ୍ର ମଣ୍ଡପ ନିର୍ମିତ ହୋଇଥାଏ। ଚଉଦୋଳରେ ଆସି ଦେବାଦେବୀ ଯାତ୍ରା ଶେଷ ଯାଏଁ ସେଠାରେ ବିରାଜମାନ ହୁଅନ୍ତି। କେତେକ ସ୍ଥାନରେ ଦୋଳ ପୂର୍ଣ୍ଣିମା ପୁର୍ବ ଦିନ ଦିନକ ପାଇଁ ଦୋଳଯାତ୍ରା ହୋଇଥାଏ। ଏହାକୁ ଫୁଲଦୋଳ କୁହନ୍ତି। ଆଉ କେତକ ସ୍ଥାନରେ ଦୋଳ ପୂର୍ଣ୍ଣିମାଠାରୁ ଦୁଇ ଦିନ ପରେ, କେତେକ ସ୍ଥାନରେ ପାଞ୍ଚ ଦିନରେ ଠାରୁ ଆରମ୍ଭ କରି ଦଶ ଦିନରେ, କେଉଁଠି ବାର ଦିନରେ ଏହି ଯାତ୍ରା ଆୟୋଜିତ ହୋଇଥାଏ। ସେହି ଅନୁଯାୟୀ ତାକୁ ପଞ୍ଚଦୋଳ, ଦଶଦୋଳ, ବାରଦୋଳ ଆଦି କୁହାଯାଏ। ଏହି ସମୟରେ ଗ୍ରାମ ଗୁଡ଼ିକ ଉତ୍ସବ ମୁଖର ହୋଇଯାଏ।