ନୂଆଦିଲ୍ଲୀ: ସମ୍ପ୍ରତି ମଧ୍ୟପ୍ରାଚ୍ୟରୁ ଆସୁଥିବା ଏକ ଖବର ବିଶ୍ୱ ବଜାରରେ ହଇଚଇ ସୃଷ୍ଟି କରିଛି। ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ ଲାଗି ଇସ୍ରାଏଲ ପ୍ରସ୍ତୁତି ଚଳାଉଥିବା ଆମେରିକାର ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଏହି ଆଶଙ୍କା ସାରା ବିଶ୍ୱରେ ଅଶୋଧିତ ତେଲକୁ ନେଇ ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ଭାରତ ଭଳି ତୈଳ ଆମଦାନିକାରୀ ରାଷ୍ଟ୍ର ପାଇଁ ଏହା ଚିନ୍ତାର ବିଷୟ। ଇରାନ୍ ଉପରେ ଇସ୍ରାଏଲ୍ ଆକ୍ରମଣ କଲେ ମଧ୍ୟ ପ୍ରାଚ୍ୟରେ ତୈଳ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି। ଏହାର ପ୍ରଭାବରେ ଆଜି ଅଶୋଧିତ ତୈଳ ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଇରାନର ପରମାଣୁ ଘାଟି ଉପରେ ଇସ୍ରାଏଲ୍ର ଆକ୍ରମଣ ଆଶଙ୍କା ଯୋଗୁ ତୈଳ ଦରରେ ଏହି ବୃଦ୍ଧି ଘଟିଛି। ବୁଧବାର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ବେଣ୍ଟ କ୍ରୁଡ୍ ୧.୦୬% ବୃଦ୍ଧି ହୋଇ ୬୬.୦୭ ଡଲାରରେ ପହଞ୍ଚିଛି। ସେହିଭଳି ବ୍ୟାରେଲ୍ ପିଛା ଡବ୍ଲ୍ୟୁଟିଆଇ ମୂଲ୍ୟରେ ୧.୦୬% ବୃଦ୍ଧି ଘଟି୬୬.୦୭ ଡଲାରରେ ପହଞ୍ଚିଛି। ଯଦି ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟେ, ତେବେ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ। କାରଣ ଭାରତ ଏହାର ତୈଳ ଆବଶ୍ୟକତାର ୮୫% ଆମଦାନି ମାଧ୍ୟମରେ ପୂରଣ କରିଥାଏ।
ରିପୋର୍ଟ ଅନୁଯାୟୀ ଆମେରିକାକୁ ମିଳିଥିବା ଗୁପ୍ତ ସୂଚନା ମୁତାବକ ଇସ୍ରାଏଲ ଯେ କୌଣସି ସମୟରେ ଇରାନର ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିପାରେବ। ଏହି ଖବର ପରେ ଆମେରିକୀୟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୨ ଡଲାରରୁ ଅଧିକ ବୃଦ୍ଧି ପାଇଛି। ଇରାନ ହେଉଛି ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (ଓପେକ୍)ରେ ତୃତୀୟ ବୃହତ୍ତମ ତୈଳ ଉତ୍ପାଦନକାରୀ ଦେଶ। ଏପରି ପରିସ୍ଥିତିରେ ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ ସେଠାରୁ ଅଶୋଧିତ ତୈଳ ଯୋଗାଣ ପ୍ରଭାବିତ ହୋଇପାରେ। ସେହିପରି ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ଯଦି ଇରାନ ପ୍ରତିଶୋଧ ନିଏ ତେବେ ଏହା ଉପସାଗରରେ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ନାମକ ସଂକୀର୍ଣ୍ଣ ପ୍ରଣାଳୀକୁ ବନ୍ଦ କରିପାରେ। ଏହି ରାସ୍ତା ଦେଇ ସାଉଦି ଆରବ, କୁଏତ, ଇରାକ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଦେଶ ବିଶ୍ୱକୁ ସେମାନଙ୍କର ତେଲ ଏବଂ ଇନ୍ଧନ ପଠାଇଥାନ୍ତି। ଏଠାରେ ସୂଚନାଯୋଗ୍ୟ ଯେ କାଜାକସ୍ତାନ ମେ’ ମାସରେ ଏହାର ଅଶୋଧିତ ତୈଳ ଉତ୍ପାଦନ ୨% ବୃଦ୍ଧି କରିଛି। ଯେତେବେଳେ କି ଓପେକ୍ ପ୍ଲସ୍ ସଂଗଠନ ଚାହୁଁଛି ଯେ ବଜାରରେ ସନ୍ତୁଳନ ବଜାୟ ରଖିବା ପାଇଁ ଏହା ଉତ୍ପାଦନ ହ୍ରାସ କରୁ। ଏହି ନିଷ୍ପତ୍ତି ଓପେକ୍ ପ୍ଲସ୍ ପାଇଁ ଏକ ଆହ୍ବାନ ସୃଷ୍ଟି କରିପାରେ। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସାମରିକ ସଂଘର୍ଷର ସିଧାସଳଖ ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବ। ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୂର୍ବରୁ ବୃଦ୍ଧି ପାଉଛି ଏବଂ ଏପରି ପରିସ୍ଥିତିରେ ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ। ଏହା ଦେଶରେ ସିଧାସଳଖ ମୁଦ୍ରାସ୍ଫୀତି ବୃଦ୍ଧି କରିପାରେ। ବିଶେଷକରି ଯଦି ହର୍ମୁଜ୍ ପ୍ରଣାଳୀ (ଯାହା ଦେଇ ପ୍ରମୁଖ ତୈଳ ପରିବହନ ହୁଏ) ବନ୍ଦ ହୋଇଯାଏ ତେବେ ଭାରତ ପାଇଁ ଶକ୍ତି ସଙ୍କଟ ଆହୁରି ଗମ୍ଭୀର ହୋଇପାରେ।