କଟକ: ସରକାରୀ ସ୍କୁଲର ମାନ୍ୟତା ପାଇବ କଟକ ବୋର୍ଡ ଅଫ୍ ସେକେଣ୍ଡାରୀ ହାଇସ୍କୁଲ। ୧୯୫୯ରେ ସ୍ଥାପିତ କଟକ, ବଜ୍ରକବାଟି ସ୍ଥିତ ଏହି ପୁରାତନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ନିର୍ବାହ କରି ଆସୁଥିଲା। ତେବେ, ଏବେ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ସ୍କୁଲ ଓ ଗଣଶିକ୍ଷା ବିଭାଗ ନେବ। ଏହି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ର ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ଏ’ ନେଇ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମାଧ୍ୟମିକ ବୋର୍ଡ ଉଚ୍ଚ ବିଦ୍ୟାଳୟ, କଟକ ରାଜ୍ୟ ସରକାରଙ୍କ ଅଧିନକୁ ଆସିବା ସହ ୨୦୨୪ ଜାନୁଆରୀରୁ ଏକାର ଭିତ୍ତିଭୂମିର ବିକାଶ କରାଯିବ। ଏଥି ସହିତ ଶିକ୍ଷକ ଅଭାବ ସମସ୍ୟା ଦୂର କରାଯାଇ ଏହି ପୂରାତନ ତଥା ପ୍ରତିଷ୍ଠିତ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବାର ନିଷ୍ପତ୍ତି ହୋଇଛି।