ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। ଖୁବ୍ଶୀଘ ପର୍ଯ୍ୟଟକମାନେ ସଫାରୀ ଭିତରେ ବିରଳ କଳାବାଘ ଦେଖିବାର ସୁଯୋଗ ପାଇବେ। ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ପ୍ରସ୍ତାବକୁ ଏନଟିସିଏର ଅନୁମୋଦନ ମିଳିବା ପରେ, ସ୍ବତନ୍ତ୍ର ଟିମ୍ କ୍ଷେତ୍ର ପରିଦର୍ଶନ କରିବ। ୨ଶହ ହେକ୍ଟର ଏରିଆ ଏନଏଚ- ୧୮ କଡରେ ହେବ ସଫାରୀ। ଏକଶହ ହେକ୍ଟରରେ ହେବ ପ୍ରଦର୍ଶନୀ ଅଞ୍ଚଳ। ଏହା ନିକଟରେ ପ୍ରାଣୀଚିକିତ୍ସା କେନ୍ଦ୍ର ସହ ଉଦ୍ଧରା କରାଯାଇଥିବା ପଶୁଙ୍କ ଥଇଥାନ କେନ୍ଦ୍ର ହେବ। କର୍ମଚାରୀଙ୍କ ପାଇଁ ବାସଭବନ ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଠାରୁ ଏହା ୧୫ କିଲୋ ମିଟର ଦୂରରେ ହେବ। ମେଲାନିଷ୍ଟିକ କଳାବାଘ କେବଳ ଶିମିଳିପାଳ ଅଞ୍ଚଳରେ ଦେଖାଯାଆନ୍ତି। ନନ୍ଦନକାନନରେ ଥିବା ବଳକା ବାଘ ସହ ଅନ୍ୟ ଅଞ୍ଚଳରୁ ଚାଲିଆସିଥିବା ବାଘ ଏହି ସଫାରୀରେ ରହିବେ। ସୂଚନାଯୋଗ୍ୟ ଯେ, ଦେଶରେ ଥିବା ସବୁତକ କଳା ମହାବଳ ବାଘ ଶିମିଳିପାଳ ଅଭୟାରଣ୍ୟରେ ହିଁ ରହିଛନ୍ତି। ଏ ନେଇ ପୂର୍ବରୁ କେନ୍ଦ୍ର ଜଙ୍ଗଲ, ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ସଂସଦର ତଥ୍ୟ ରଖିଥିଲେ। ଶ୍ରୀ ଚୌବେ କହିଥିଲେ ଯେ ପୂରା ଭାରତରେ ମୋଟ ୧୦ଟି କଳା ମହାବଳ ବାଘ ରହିଛନ୍ତି। ସବୁତକ ବାଘ ଶିମିଳିପାଳ ଅଭୟାରଣ୍ୟରେ ହିଁ ଅଛନ୍ତି।