ଭୁବନେଶ୍ୱର: ଆସନ୍ତା ୨ ଦିନ ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଙ୍ଗଲାଦେଶ ଠାରୁ ଗାଙ୍ଗେୟ ଉପତ୍ୟକା ଦେଇ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ବାୟୁ ମଣ୍ଡଳର ୦.୯ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ୨ ତାରିଖ ଶୁକ୍ରବାର ଦିନ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ୩ ତାରିଖ ଶନିବାର ଦିନ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ସମେତ ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଏବଂ ଢେଙ୍କାନାଳରେ ବର୍ଷା ନେଇ ଆକଳନ କରାଯାଇଛି। ବାକି ଓଡ଼ିଶାର ଅନ୍ୟ ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷା ପ୍ରଭାବରେ ପାଗ କୋହଲା ରହିଲେ ମଧ୍ୟ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି କୁହାଯାଇଛି। ବର୍ଷା ସହ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର କୁହୁଡି ଅନୁଭୂତ ହେବ।