Thursday, June 19, 2025

ଅଗି ଜଳିଲା – ଶୀତ ଟଳିଲା: ଅଗିଜଳା ପୂର୍ଣ୍ଣିମା ସହିତ ଶେଷ ହେଲା ଶୀତଋତୁ ..

ଋତୁଚକ୍ର ଅନୁସାରେ ପୌଷ ଓ ମାଘ ମାସ ହେଉଛି ଶୀତଋତୁ। ଏଣୁ ଏହି ଅଗିଜଳା ପୁନେଇଁ ସହିତ ଶୀତଋତୁ ଶେଷ ହୁଏ। ମକର ସ˚କ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣର ଅୟମାରମ୍ଭ ହୋଇଥିବାରୁ, ଏହି ସମୟକୁ ଶୀତ ବି ଟିକିଏ କମି ଆସିଥାଏ। ତେଣୁ ଲୋକମୁଖରେ କୁହାଯାଏ- ‘‘ଅଗି ଜଳିଲା, ଶୀତ ଟଳିଲା”। ମାଘ ମାସ ପୂର୍ଣ୍ଣମୀକୁ କୁହାଯାଏ ଅଗିଜଳା ପୂର୍ଣ୍ଣମୀ। ଏହାସହ ଏହାକୁ ଅଇଘରା ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା (ଅଗ୍ନ୍ୟୁତ୍ସବ), ଅଇଘେରା, ଅଇଘରା ପୁନେଇଁ ବା ଅଗିଜଳା ପୂର୍ଣ୍ଣିମା, ଅଗିରା ପୂର୍ଣ୍ଣମୀ ଆଦି କୁହାଯାଏ। ଅଗିଜଳା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ। ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ। ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ। ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ। କେତେକ ସ୍ଥାନରେ କମାରଶାଳର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ସୋଲରେ ସଂଗ୍ରହ କରି ନଡ଼ା କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ। ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନିଦ୍ୱାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାଆନ୍ତି। ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଏ। ଭକ୍ତମାନେ ଖୋଳ କୀର୍ତ୍ତନ କରି ଅଗ୍ନିର ଚତୁଃପାର୍ଶ୍ଵ ପରିଭ୍ରମଣ କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ ଆଦି ଫଳ ପକାଇଥାଆନ୍ତି। ଲୋକମାନଙ୍କର ବିଶ୍ୱାସ ରହିଛି, ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏ ନାହିଁ। ଆଉ ମଧ୍ୟ ବିଶ୍ୱାସ ରହିଛି ଅଗିନିଆଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ।

ମାଘ ପୂର୍ଣ୍ଣମୀର ଏହି ଅଗ୍ନ୍ୟୁତ୍ସବ ଏକ କୃଷିଭିତ୍ତିକ ପର୍ବ। ଅଗିଜଳା ପୂର୍ଣ୍ଣମୀରେ ଅଗ୍ନ୍ୟୁତ୍ସବ ପାଳି ଅଗ୍ନି ଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରରର ଚାଳ ଛପର କାର୍ଯ୍ୟ ଆରମ୍ଭ କରିଥାଆନ୍ତି। କଥାରେ ଅଛି “ଘର ପୋଡ଼ିଠାରୁ ବିପତ୍ତି ନାହିଁ”। ତେଣୁ ଗୃହକୁ ଅଗ୍ନିଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନି ଦେବତାଙ୍କର ସନ୍ତୋଷ ବିଧାନ ନିମନ୍ତେ ମାଘ ପୂର୍ଣ୍ଣମୀ ଦିନ ଅଗ୍ନି ଉତ୍ସବ ପାଳିତ ହୋଇଥାଏ। ଅଗ୍ନିପୂର୍ଣ୍ଣିମାର ଆଉ ଗୋଟିଏ ନାମ ‘ଅଇଘରା ପୁନେଇଁ’। ‘ଅଇ’ ‘ଅଗ୍ନି’ର ଅପଭ୍ରଂଶ। ଏହା ସହିତ ‘ହରିକା’ ମିଶି କ୍ରମେ ‘ଅଇହରା’ ବା ‘ଅଇଘରା’ ହୋଇଛି ବୋଲି ଜଣାଯାଏ। ଏ ସ˚ପର୍କରେ ଥିବା କିମ୍ବଦନ୍ତୀ ଅନୁସାରେ ହରିକା ନାମରେ ଗୋଟିଏ ରାକ୍ଷସୀ ଥିଲା। ସେ ଛୋଟ ଛୋଟ ପିଲାଙ୍କୁ ଖାଇ ଯାଉଥିଲା। ଅନ୍ୟ ଦେବତାମାନେ ତାହାକୁ ବଧ କରିବାକୁ ଚେଷ୍ଟା କରି, ନପାରିବାରୁ, ଶିବ ତାହାକୁ ବଧ କଲେ। ତାହା ପରେ ଦେବତାମାନେ ସେହି ରାକ୍ଷସୀର ବିରାଟ ଦେହକୁ ନିଆଁ ଲଗାଇ ପୋଡ଼ିଦେଲେ। ‘ଅଇଘରା’ ତାହାରି ଏକ ସ୍ମାରକ ଉତ୍ସବ। ଏ ସ˚ପର୍କରେ ଆଉ ଗୋଟିଏ ମତ ମଧ୍ୟ ଅଛି। ସେହି ମତ ଅନୁସାରେ, ‘ହରିକା’ ବସନ୍ତ, ମିଳିମିଳା ଓ ହାଡ଼ଫୁଟି ଆଦି ରୋଗର ଅଧିଷ୍ଠାତ୍ରୀ ଯୋଗିନୀ। ମହାଦେବ ତାହାକୁ ବିନାଶ କଲେ ଏବ˚ ଲୋକେ ତାହାର ଶବ ଉପରେ ଘରର ଅଳିଆ, ଚିରାକନା ଆଦି ଗଦା କରି ନିଆଁ ଜାଳିଲେ। ତାହାର ସ୍ମାରକ ହେଉଛି, ଅଇଘରା ବା ଅଗ୍ନି ଉତ୍ସବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles