ଭୁବନେଶ୍ୱର: ମେଣ୍ଟ ପାଇଁ ବଡ଼ କଣ୍ଟା ସାଜିଛନ୍ତି ୫ ଜଣ ପାର୍ଥି ବା ୫ ଟି ଆସନ। ସେହି ପାର୍ଥି ମାନେ ବା ଆସନ ଗୁଡ଼ିକ ହେଲା ଅପରାଜିତା ଷଡ଼ଙ୍ଗୀ (ଭୁବନେଶ୍ୱର), ସମ୍ବିତ ପାତ୍ର (ପୁରୀ), ବୈଜୟନ୍ତ ପଣ୍ଡା (କେନ୍ଦ୍ରାପଡ଼ା) ଏବଂ ଏସବୁ ସଂସଦୀୟ କ୍ଷେତ୍ର ବ୍ୟତୀତ ଦୁଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପ୍ରଦୀପ କୁମାର ପାଣିଗ୍ରାହୀ। ଆସନ ଭାଗବଣ୍ଟା ନେଇ ଯାହା ଭାଗ ତୁଟୁନି ସେ ତ’ ଗୋଟେ କଥା। ବିଶେଷ କରି ଭୁବନେଶ୍ୱର, ପୁରୀ ଏବଂ କେନ୍ଦ୍ରାପଡ଼ା ସଂସଦୀୟ ଆସନ ନିଜ ହାତରେ ରଖିବାକୁ ଚାହୁଁଛି ବିଜେଡି। କେନ୍ଦ୍ରାପଡ଼ା ଆସନ ସେତେ ଗୁରୁତ୍ତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ବୈଜୟନ୍ତ ପଣ୍ଡାଙ୍କୁ କୌଣସି ପରିସ୍ଥିତିରେ ସଂସଦ ଭବନ ପଠାଇବାକୁ ଚାହୁଁନି ବିଜେଡି। ସେହିପରି ସମ୍ବିତ ପାତ୍ର ବଡ଼ କଥା ନୁହେଁ। ବିଶ୍ୱ ଦରବାରରେ ଓଡ଼ିଶାର ପରିଚୟ ଶ୍ରୀକ୍ଷେତ୍ର ପୁରୀ। ତେଣୁ ପୁରୀ ଆସନ ଏକ ସମ୍ମାନଜନକ ଆସନ ହୋଇଥିବାରୁ ତାକୁ ଛାଡ଼ିବାକୁ ରାଜି ନାହିଁ ବିଜେଡି।
ତେବେ, ଭୁବନେଶ୍ୱର କ୍ଷେତ୍ରରେ ଭୁବନେଶ୍ୱର ଆସନ ଏବଂ ଅପରାଜିତା ଉଭୟ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ରାଜଧାନୀ ହୋଇଥିବାରୁ ଭୁବନେଶ୍ୱର ପରି ଗୁରୁତ୍ୱପୂର୍ଣ୍ଣ ଆସନ ଛାଡ଼ିବାକୁ ରାଜି ନାହିଁ ବିଜେଡି। ଏହା ସହ ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ସଂସଦ ଭବନ ପଠାଇବାକୁ ଚାହୁଁନି ବିଜେଡି। ଏହାସହ ମେଣ୍ଟ ହେଲେ, ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କୁ କୌଣସି ମତେ ବିଜେପି ଟିକେଟ୍ ନଦେଉ ବୋଲି ଚାହୁଁଛି ବିଜେଡି। ତେଣୁ ଆସନ ବୁଝାବଣା ବ୍ୟତୀତ ଏହି ଆସନ ବା ନେତାନେତ୍ରୀ ମେଣ୍ଟ ପାଇଁ ସାଜିଛନ୍ତି ବଡ଼ କଣ୍ଟା। ତେବେ ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶାୟୀ ଥିବା ଢେଙ୍କାନାଳ ଏବଂ ସମ୍ବଲପୁର ଦୁଇ ଆସନକୁ ଖୁସି ଖୁସିରେ ଛାଡ଼ିଦେବାକୁ ରାଜି ଅଛି ବିଜେଡି!