ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଯେତେ ମନା କଲେ ମଧ୍ୟ ବିଜେପି – ବିଜେଡି ମେଣ୍ଟ ହେବା ନେଇ ଚର୍ଚ୍ଚା ଥମିବାର ନାଁ’ ଧରୁନି। ତେବେ, ପ୍ରଶ୍ନ ଉଠୁଛି କାହିଁକି ମେଣ୍ଟ, କାହା ପାଇଁ ଏ’ ମେଣ୍ଟ ଆଲୋଚନା? ନିର୍ବାଚନ ଆଉ ଖୁବ୍ କମ୍ ଦିନ ବାକି ରହିଥିବା ବେଳେ ଓଡ଼ିଶାରେ ବିଜେପି ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଜୋରଦାର୍ ଆଲୋଚନା ଚାଲିଛି। ସ୍ୱୟଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟକୁ ଖଣ୍ଡନ କରିବା ସହିତ ବିଜେପି ଏକାକୀ ଲଢ଼ିବ ବୋଲି ବାରମ୍ବାର କହିବା ସତ୍ତ୍ୱେ ମେଣ୍ଟ ହେବା ନେଇ ଚର୍ଚ୍ଚା ଥମୁନି। ନିର୍ବାଚନ ଆଉ ଖୁବ୍ ଅଳ୍ପ ଦିନ ରହିଥିବା ବେଳେ ମେଣ୍ଟ ହେବ ନହେବ ଦ୍ଵନ୍ଦ ଭିତରେ କର୍ମୀ ଧୀରେ ଧୀରେ ହତୋତ୍ସାହିତ ହେଉଛନ୍ତି। ଦୀର୍ଘ ସମୟ ଧରି ବିଜେଡି ବିରୋଧରେ ଲଢ଼ି ଆସିଥିବା ତୃଣମୂଳ ସ୍ତରର ବିଜେପି କର୍ମୀ କୌଣସି ପରିସ୍ଥିତିରେ ବିଜେପି – ବିଜେଡି ମେଣ୍ଟ ଚାହୁଁନାହାଁନ୍ତି। ସେହିପରି ମେଣ୍ଟ ହେଲେ ଅନେକ ଟିକେଟ୍ ଆଶାୟୀଙ୍କ ଟିକେଟ୍ କଟିଯିବା ନେଇ ସେମାନେ ମଧ୍ୟ ମେଣ୍ଟ ଚାହୁଁ ନାହାଁନ୍ତି। ରାଜ୍ୟ ବିଜେପିର ଅନେକ ବରିଷ୍ଠ ନେତା ବିଜେପି ଏକାକୀ ଲଢ଼ି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି। ମେଣ୍ଟ ପାଇଁ ବିଜେଡି ବେଶୀ ଆଗ୍ରହୀ ଥିବା ଓଡ଼ିଶା ବିଜେପିର ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ଆକ୍ଷେପ କରୁଛନ୍ତି। ବାସ୍ତବରେ ଏହା କେତେ ସତ୍ୟ? କାହିଁକି ମେଣ୍ଟ ଏବଂ କାହା ପାଇଁ ମେଣ୍ଟ ନେଇ ଏତେ ଆଲୋଚନା ଚାଲିଛି ତା’ର ସତ୍ୟତା କ’ଣ ଜାଣିଛନ୍ତି?
ବାସ୍ତବରେ ମେଣ୍ଟ ପାଇଁ ସବୁଠାରୁ ଅଧିକ ଆଗ୍ରହୀ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଏବଂ କେନ୍ଦ୍ର ବିଜେପିର ମୁଖ୍ୟ ଲକ୍ଷ ହେଲା ତୃତୀୟ ଥର ମୋଦୀ ପ୍ରଧାନମନ୍ତ୍ରୀ ହେବା, ବିଜେପି ଅଧିକରୁ ଅଧିକ ଆସନ ଜିତିବା ଏବଂ ଏନଡିଏର କାୟା ବିସ୍ତାର ହେବା। ଏପରି ସ୍ଥିତିରେ ନବୀନ ପଟ୍ଟନାୟକ ମୋଦୀଙ୍କର ଜଣେ ଭଲ ବନ୍ଧୁ। ଏନଡିଏରେ ଥାଇ କିଏ କୌଣସି ପ୍ରସଙ୍ଗ ଉପରେ ମୋଦୀ ସରକାରକୁ ବିରୋଧ କରିଛନ୍ତି। ଏନଡିଏରୁ ବାହାରି ଯାଇଛନ୍ତି। କିନ୍ତୁ, ଏନଡିଏ ମେଣ୍ଟରେ ନଥାଇ ମଧ୍ୟ ମୋଦୀ ସରକାରଙ୍କ ଆବଶ୍ୟକତା ଅନୁଯାୟୀ ଠିକ୍ ସମୟରେ ସହଯୋଗ ଦେଇ ଆସିଛନ୍ତି ନବୀନ ସରକାର। ସେହିପରି ମେଣ୍ଟ ନ’ହୋଇ ଲଢ଼ିଲେ ଓଡ଼ିଶାରେ ବିଜେପି କେତେ ଆସନରେ ଆସିବ କିଛି କହିହେବନି। ଭବିଷ୍ୟତରେ ମୋଦୀଙ୍କୁ ପୁଣି ବିଜେଡିର ସହଯୋଗ ଆବଶ୍ୟକ ପଡ଼ିବ। କିନ୍ତୁ, ମେଣ୍ଟ ହୋଇ ଲଢ଼ିଲେ ହୁଏତ ୨୧ ରୁ ୨୧ ସାଂସଦଙ୍କ ସମର୍ଥନ ମୋଦୀଙ୍କ ସାଙ୍ଗରେ ରହିଯିବ। ତେଣୁ ମୋଦୀ ହିଁ ଚାହଁନ୍ତି ବିଜେପି – ବିଜେଡି ମେଣ୍ଟ ହେଉ। ବିଜେଡି ଏନଡିଏରେ ସାମିଲ ହେଉ। ଏନଡିଏର କାୟା ବିସ୍ତାର ହେଉ।