ଭୁବନେଶ୍ୱର: ତୁଝେ ୟାଦ୍ ନାଁ ମେରୀ ଆୟୀ, କିସିସେ ଅବ୍ କ୍ୟା କେହେନା .. । ୨୦୧୯ ନିର୍ବାଚନରେ ନୟାଗଡ଼ ବିଜେପି ବିଧାୟକ ପାର୍ଥି ଇରାଣୀ ରାୟ ଏବେ ମନେ ମନେ ଏହି ଗୀତ ଗାଉଥିବେ। ଆଉ ଏହି ଗୀତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ୨୦୧୯ ନିର୍ବାଚନରେ ବିଜେପି ପୁରୀ ସାଂସଦ ପାର୍ଥି ଡ. ସମ୍ବିତ ପାତ୍ରଙ୍କ ପାଇଁ ଗାଉଥିବେ ଇରାଣୀ। ଦିନେ ଲାଗୁଥିଲେ ସମ୍ବିତ ପ୍ୟାରା, ଆଉ ଏବେ ହୋଇଗଲେ ଗୋବରା। ଦିନ ଥିଲା ସମ୍ବିତଙ୍କୁ ଧରି ଇରାଣୀ ନୟାଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ। ଉଭୟ ସମ୍ବିତ ଏବଂ ଇରାଣୀ ପରସ୍ପରକୁ ଖୁବ୍ ଟେକି ପକାଉଥିଲେ। ହେଲେ ଏବେ ଇରାଣୀ ସମ୍ବିତଙ୍କ ଉପରେ ବଡ଼ ଖପ୍ପା। ଇରାଣୀ ଏବେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଫେସବୁକ୍ ମାଧ୍ୟମରେ ପାତ୍ର ବାବୁଙ୍କୁ ଖୁବ୍ ଟାର୍ଗେଟ୍ କରୁଛନ୍ତି। ନିଜର ଜଣେ ସମର୍ଥକ ଦ୍ୱାରା ସୋସିଆଲ୍ ମିଡିଆରେ ସମ୍ବିତ ପାତ୍ରଙ୍କ ବିରୋଧରେ ବିଭିନ୍ନ ପୋଷ୍ଟ୍ କରାଇ ତାକୁ ନିଜ ଆକାଉଣ୍ଟରୁ ସେୟାର କରୁଛନ୍ତି ଇରାଣୀ। ଯେଉଁଥିରେ ସମ୍ବିତଙ୍କୁ ଗୋବରା, ବେଇମାନ୍, ଧୋକେବାଜ୍ ଆଦି ଆକ୍ଷେପ କରାଯିବା ସହିତ ସମ୍ବିତଙ୍କୁ କିଏ ଗୁଣି କରିଦେଇଛି ଏବଂ ସମ୍ବିତଙ୍କୁ ନିର୍ବାଚନରେ ହରାଇବୁ ଆଦି ଲେଖାଯାଇଛି।
ଧର୍ମେନ୍ଦ୍ର ପ୍ରଧାନଙ୍କ ବଳରେ ବଳିୟାନ ହୋଇ ଲାଲା ମୋହନ ରାୟ ଏବଂ ଇରାଣୀ ରାଏ ପତି- ପତ୍ନୀ ଯୋଡ଼ି କିଛି ଦିନ ଧରି ନୟାଗଡ଼ରେ ରାଜ୍ ଚଲାଇଥିଲେ। ଧର୍ମେନ୍ଦ୍ରଙ୍କ ପାଇଁ ଲାଲା ରାୟ ନୟାଗଡ଼ ଜିଲ୍ଲା ସଭାପତି ହୋଇଥିବା ବେଳେ ଇରାଣୀ ବିଧାୟକ ପାଇଁ ଟିକେଟ୍ ପାଇ ନିର୍ବାଚନ ଲଢ଼ିଥିଲେ। ତେବେ ଇତି ମଧ୍ୟରେ ସମୟ ବଦଳିଗଲା। ସୁନୀଲ ବଂଶଲ ହେଲେ ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ଆଉ ମନମୋହନ ସାମଲ ହେଲେ ରାଜ୍ୟ ସଭାପତି। ଧର୍ମେନ୍ଦ୍ରଙ୍କ ପତିଆରା କମିଗଲା। ଲାଲା ରାୟଙ୍କୁ ଜିଲ୍ଲା ସଭାପତି ପଦବୀରୁ ହଟାଇ ଦିଆଗଲା। ସେହିପରି ନୟାଗଡ଼ ବିଜେପି ରାଜନୀତିରେ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସକ୍ରିୟତା ଦେଖାଗଲା। ଏପରି ସ୍ଥିତିରେ ଏବେ ପୁଣି ମେଣ୍ଟ କଥା ଆଲୋଚନା ଚାଲିଛି। ମେଣ୍ଟ ହେଲେ ତ’ ଆଦୌ ସମ୍ଭାବନା ନାହିଁ, ଆଉ ମେଣ୍ଟ ନହେଲେ ଇରାଣୀଙ୍କ ଠାରୁ ନୟାଗଡ଼ ଟିକେଟ୍ ଛଡ଼େଇ ନେଇପାରନ୍ତି ରାଣୀ। ଏପରି ସ୍ଥିତିରେ ଇରାଣୀଙ୍କୁ ଛାଡ଼ି ରାଣୀଙ୍କ ସାଙ୍ଗେ ବୁଲୁଛନ୍ତି ସମ୍ବିତ ପାତ୍ର। ତେଣୁ ସମ୍ବିତଙ୍କ ଉପରେ ଖପ୍ପା ହୋଇପଡ଼ିଛନ୍ତି ଇରାଣୀ!