ଭୁବନେଶ୍ବର: ଅଭିନେତାରୁ ନେତା ସାଜି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅରିନ୍ଦମ ରାୟ ପରିବାରବାଦ୍ ରାଜନୀତି ନେଇ ବିଜେଡିକୁ ଆକ୍ଷେପ କରିବା ପରେ ସେହି ପରିବାରବାଦକୁ ନେଇ ଓଡ଼ିଶା ବିଜେପିକୁ ଟାର୍ଗେଟ୍ କରି ଅରିନ୍ଦମଙ୍କୁ ଆଇନା ଦେଖାଇଛନ୍ତି ଅଖିଳ ଭାରତୀୟ ହିନ୍ଦୁ ମହାସଭା ତଥା ବିଜେପି ଯୁବାନେତ୍ରୀ ନେତ୍ରୀ ହରପ୍ରିୟା ସାହୁ। ସୂଚନାଯୋଗ୍ୟ ଯେ ବିଜେପିରେ ଯୋଗଦେବା ପରେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ବିଜେଡିକୁ ଟାର୍ଗେଟ୍ କରି ଅରିନ୍ଦମ କହିଥିଲେ ଯେ, ମୋ ବାପା ଯଦି ଏକ୍ସ- ଏମଏଲଏ ହୋଇଥାଆନ୍ତେ ମୁଁ କିଛି କରେ ବା ନ’କରେ କିନ୍ତୁ, ମତେ ଟିକେଟ୍ ମିଳିବାର ୯୦% ଚାନ୍ସ ଥିଲା। ଏପରି କହି ବିଜେଡିରେ ଚାଲିଥିବା ପରିବାରବାଦ୍ ବା ବଂଶବାଦ୍ ରାଜନୀତି କଥା ଉଠାଇଛନ୍ତି ଅରିନ୍ଦମ। ତେବେ, ଏହାପରେ ସେହି ପରିବାରବାଦ୍ ବା ବଂଶବାଦ୍ ରାଜନୀତିକୁ ନେଇ ଓଡ଼ିଶା ବିଜେପି ତଥା ଭଦ୍ରକ ବିଜେପିକୁ ଟାର୍ଗେଟ୍ କରି ଅରିନ୍ଦମଙ୍କୁ ଆଇନା ଦେଖାଇ, ଶୁଣନ୍ତୁ କ’ଣ କହିଛନ୍ତି ହରପ୍ରିୟା ସାହୁ –
ହରପ୍ରିୟା କହିଛନ୍ତି, ଅରିନ୍ଦମ ବିଜେପିକୁ ଆସିଲା ପରେ ପରିବାରବାଦ୍ ନେଇ ବିଜେଡିକୁ ଆକ୍ଷେପ କରିବା ପୂର୍ବରୁ ଭଲ କରି ନିରିଖେଇ ଦେଖନ୍ତୁ, ଜାଣିବେ ଓଡ଼ିଶା ବିଜେପିରେ ପରିବାରବାଦକୁ କେତେ ପ୍ରଶୟ ଦିଆଯାଏ। ମୋଦୀ ଜୀ’ଙ୍କ କଥା ଭିନ୍ନ। ମୋଦୀ ତ’ ରାଜନୀତିରୁ ବଂଶବାଦକୁ ସଂପୂର୍ଣ୍ଣ ଲୋପ କରିବାକୁ ଆହ୍ୱାନ ଦେଉଛନ୍ତି ଏବଂ ସେହି ଅନୁଯାୟୀ କାମ ମଧ୍ୟ କରୁଛନ୍ତି। କିନ୍ତୁ, ଓଡ଼ିଶାରେ ରାଜ୍ୟରୁ ଆରମ୍ଭ କରି ଭଦ୍ରକ ଯାଏଁ ବିଜେପିରେ ଚାଲିଥିବା ପରିବାରବାଦର ଅନେକ ଉଦାହରଣ ରହିଛି। ଏବଂ ଏହି ପରିବାରବାଦ୍ ବିରୋଧରେ କେହି ସ୍ୱର ଉତ୍ତୋଳନ କଲେ ତାକୁ ବିଶୃଙ୍ଖଳିତର ଆଖ୍ୟା ଦିଆଯାଏ। ତା’ ସ୍ୱରକୁ ଦମନ କରିଦିଆଯାଏ। ତା’ର କଣ୍ଠରୋଧ କରିଦିଆ ଯାଏ। ତାକୁ ଦାୟିତ୍ବରୁ କାଢ଼ି ଦିଆଯାଏ ବା ତାକୁ ଦଳରୁ ଦୂରେଇ ଦିଆଯାଏ। ଅରିନ୍ଦମ ତ’ କହିଲେ ତାଙ୍କ ବାପା ଏକ୍ସଏମ୍ଏଲ୍ଏ ହୋଇଥିଲେ ତାଙ୍କୁ ଟିକେଟ୍ ମିଳିଥାଆନ୍ତା। ତେବେ ମୁଁ କହିବି, ମୋ ବାପା ଯଦି ଏକ୍ସ ଏମଏଲଏ ହୋଇଥାଆନ୍ତେ ବିନା କାରଣରେ ଓଡ଼ିଶା ତଥା ଭଦ୍ରକ ବିଜେପି ମତେ ଦାୟିତ୍ୱରୁ ବାହାର କରିବାର ଆଦୌ ସାହସ କରି ପାରିନଥାନ୍ତା!!