ସୁବର୍ଣ୍ଣପୁର: ସରପଞ୍ଚଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର। ମନମୁଣ୍ଡା ଥାନା କସୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣଙ୍କ ଗୁଳିମାଡ଼ରେ କସୁରବନ୍ଧର ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ଯୁବକ ଜଣଙ୍କ ହେଉଛନ୍ତି ଉକ୍ତ ଅଞ୍ଚଳର ରାଜେନ୍ଦ୍ର କର୍ଣ୍ଣ। ରାଜେନ୍ଦ୍ରଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଶୁକ୍ରବାର ରାତିରେ କୌଣସି କାରଣ ପାଇଁ ସରପଞ୍ଚ ସରୋଜ କର୍ଣ୍ଣ ଓ ରାଜେନ୍ଦ୍ର କର୍ଣ୍ଣଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାରେ ଉତ୍ୟକ୍ତ ହୋଇ ରାଜେନ୍ଦ୍ରଙ୍କ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଥିଲେ ସରପଞ୍ଚ। ରାଜେନ୍ଦ୍ରଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ତୁରନ୍ତ ତାଙ୍କୁ ନିକଟସ୍ଥ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ପରେ ତାଙ୍କୁ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସେପଟେ ସରପଞ୍ଚଙ୍କ ନାଁ’ରେ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ରାଜେନ୍ଦ୍ରଙ୍କ ପରିବାର ଲୋକେ। ପୁଲିସ ଘଟଣାର ତଦନ୍ତ କରଛି।