ନୂଆଦିଲ୍ଲୀ: ଅଧିକାଂଶ ସମୟରେ ମହିଳା ବା ଯୁବତୀଙ୍କ ଉପରେ ଏସିଡ ଫିଙ୍ଗା ଯାଇଥିବା ଘଟଣା ସାମ୍ନାକୁ ଆସେ। ମାତ୍ର ବିହାର ବୈଶାଳୀ ଜିଲ୍ଲାରେ ପ୍ରେମିକ ଉପରକୁ ଏସିଡ ମାଡ କରିଛି ପ୍ରେମିକା । ଆଉ ବଡ଼ କଥା ହେଲା ଏସିଡ ଫିଙ୍ଗିଥିବା ପ୍ରେମିକା ତିନି ଥର ବିବାହ କରିସାରିଥିବା ଜଣେ ମହିଳା। ମହିଳା ଜଣଙ୍କ ସେହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଥିଲେ ମାତ୍ର ସେ ମନା କରିବାକୁ ଏପରି କାଣ୍ଡ ଭିଆଇଛନ୍ତି। ପୋଲିସ ଅଭିଯୁକ୍ତ ମହିଳା ସରିତା କୁମାରୀଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଏସିଡ ମାଡରେ ଆହତ ଯୁବକ ପାଟପୁର ଥାନା ଦୁର୍ଗାପୁର ସିଂୱାରା ଗାଁର ଧର୍ମେନ୍ଦ୍ର କୁମାର। ଅଭିଯୁକ୍ତ ମହିଳା ପୂର୍ବରୁ ତିନିଥର ବିବାହ କରିଛନ୍ତି ଓ ତାଙ୍କର ୩ଟି ସନ୍ତାନ ମଧ୍ୟ ରହିଛି। ଛାତ୍ରପତ୍ର ପରେ ମହିଳା ଜଣକ ଧର୍ମେନ୍ଦ୍ର କୁମାରଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ଧର୍ମେନ୍ଦ୍ର ବିବାହ ପାଇଁ ରାଜି ହୋଇନଥିଲେ। ଏଥିରେ କ୍ରୋଧାନ୍ୱିତ ହୋଇ ସରିତା ଧର୍ମେନ୍ଦ୍ରଙ୍କୁ ବିଳମ୍ୱିତ ରାତି ପ୍ରାୟ ୨ଟାରେ ଘରକୁ ଡାକି ଏସିଡ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଚିତ୍କାର ଶୁଣି ଧର୍ମେନ୍ଦ୍ରଙ୍କ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ସେ ବର୍ତ୍ତମାନ ହାଜିପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ୍ କରିଛି। ସରିତା ଏସିଡ ଫିଙ୍ଗିଥିବା ଘଟଣାକୁ ସ୍ୱୀକାର କରିଛନ୍ତି। ସେ ଧର୍ମେନ୍ଦ୍ରଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ମାତ୍ର ଧର୍ମେନ୍ଦ୍ର ସିଧା ମନା କରିଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସେ ଏସିଡ ଫିଙ୍ଗିଥିଲେ। ଏଥିରେ ଅନ୍ୟ ଜଣେ ବ୍ୟକ୍ତିଙ୍କର ମଧ୍ୟ ସଂପୃକ୍ତି ଥିବା ପୋଲିସ ସୂଚନା ଦେଇଛି।