ଭୁବନେଶ୍ୱର: ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ନେତ୍ରୀ ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ରଙ୍କ ମଧ୍ୟରେ ଲଢ଼େଇ ପ୍ରାୟତଃ ଫାଇନାଲ୍। ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତରେ ବିଜେଡି ପକ୍ଷରୁ ଆୟୋଜିତ ଏକ ଜନ ସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମକୁ ଦେଖିଲେ ଏହା ଜଣାପଡ଼ୁଛି, ଅପରାଜିତାଙ୍କ ବିରୋଧରେ ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ହିଁ ଭୁବନେଶ୍ୱର ସାଂସଦ ପାର୍ଥି ଭାବରେ ମଇଦାନକୁ ଓହ୍ଲାଇପାରେ। କେବଳ ଯେ ଗୋଳବାଇ ଗ୍ରାମ ଶାସନ ପଞ୍ଚାୟତ ନୁହେଁ, ଖୋର୍ଦ୍ଧା ତଥା ଭୁବନେଶ୍ୱର ମହାନିଗର ନିଗମ ବିଭିନ୍ନ ୱାର୍ଡରେ ବିଜେଡି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକରେ ଶ୍ରୀମୟୀ ହିଁ ପ୍ରମୂଖ ଭୂମିକାରେ ଦେଖାଯାଉଛନ୍ତି। ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗେଦେଇ ଶ୍ରୀମୟୀ ଟ୍ୱଟ୍ କରିଛନ୍ତି, “ଆମ ବିଜୁ ଜନତା ଦଳ ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଖୋର୍ଦ୍ଧା ବ୍ଲକର ଗୋଳବାଇ ଶାସନ ପଂଚାୟତରେ ଜନସମ୍ପର୍କ ପଦଯାତ୍ରାରେ ଘରକୁ ଘର ବୁଲି ସମସ୍ତଙ୍କ ଆଶୀର୍ବାଦ ନେଲି। ଜିଲ୍ଲାର ଆମ ଦଳର ନିର୍ବାଚିତ ପ୍ରତିନିଧି ଓ ବରିଷ୍ଠ କର୍ମକର୍ତ୍ତାଙ୍କ ସମେତ ସକ୍ରିୟ କର୍ମୀମାନେ ଉପସ୍ଥିତ ଥିଲେ। ବିଶେଷକରି ପଂଚାୟତର ମା’ମାନଙ୍କ ଉତ୍ସାହ ଓ ଭଲପାଇବା ସବୁଦିନ ପାଇଁ ଋଣୀ କରିଦେଇଛି।” ତେବେ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ରୂପରେଖ ଏହା ସ୍ପଷ୍ଟ କରୁଛି କି ବିଜେଡି ଶ୍ରୀମୟୀଙ୍କ ପାଇଁ ହିଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପ୍ରସ୍ତୁତ କରୁଛି। ଦେଖନ୍ତୁ ଏହି ଭିଡିଓ ..