ନୂଆଦିଲ୍ଲୀ: ଦୀପାବଳୀ ଅବ୍ୟବହିତ ପୂର୍ବରୁ ଦେଶର ୬ କୋଟି ବରିଷ୍ଠ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଛନ୍ତି ଦୀପାବଳୀ ଉପହାର। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ- ଜେଏୱାଇ) ଅଧିନରେ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବର୍ଷର ସମସ୍ତ ବୟସ୍କଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା। ଯେ କୌଣସି ଆୟ ବର୍ଗର ୭୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ପ୍ରତିବର୍ଷ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନୂଆ ପର୍ଯ୍ୟାୟ ଆୟୁଷ୍ମାନ ଭାରତ ‘ନିରାମୟମ’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ଏମ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ପାଖାପାଖି ୧୨,୮୫୦ କୋଟି ଟଙ୍କାର ପ୍ରକଳ୍ପକୁ ମୋଦୀ ଉଦଘାଟନ କରିଥିଲେ। ନବମ ଆୟୁର୍ବେଦ ଦିବସ ଓ ହିନ୍ଦୁ ଚିକିତ୍ସାର ଦେବତା ଧନ୍ୱନ୍ତରୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିନ୍ତି। ୭୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବୟସ୍କ ବ୍ୟକ୍ତିମାନେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇବେ। ସେହିପରି ଯେଉଁ ପରିବାର ପୂର୍ବରୁ ଆୟୁଷ୍ମାନ ଯୋଜନାର ଫାଇଦା ପାଉଛନ୍ତି, ସେମାନଙ୍କ ପରିବାରର ବୟସ୍କ ସଦସ୍ୟଙ୍କୁ ଅଲଗା ଭାବେ ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ। ଏହାଦ୍ୱାରା ଦେଶର ୪.୫ କୋଟି ପରିବାରର କୋଟିରୁ ଅଧିକ ବୟସ୍କ ଉପକୃତ ହେବେ। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ କମ୍ ଆୟୁ ବର୍ଗଙ୍କୁ ସାମିଲ କରାଯାଇଥିଲା, ମାତ୍ର ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ କରାଯାଇଥିବା ଏହ ସ୍କିମରେ ଆୟର କୌଣସି ସୀମା ରହିବ ନାହିଁ। ଏହି ଯୋଜନା ପାଇଁ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରାଯିବ, ଯାହାକି ଫାମିଲି ଆୟୁଷ୍ମାନ ପ୍ଲାନ ଠାରୁ ଅଲଗା ରହିବ। ଅକ୍ଟୋବର ୧୯ରୁ ଏହି ସ୍କେଶାଲ କାର୍ଡ ମିଳିବା ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବୟସ୍କ ବ୍ୟକ୍ତିଙ୍କୁ ଏହି କାର୍ଡ ବଣ୍ଟନ କରିଥିଲେ।