Tuesday, December 24, 2024

ଏ’ ଭାଇଚାରା ଦେଖି ଆଜି ଗୁମୁରି କାନ୍ଦୁଥିବେ ‘ରକ୍ତତୀର୍ଥ ଇରମ’ର ସହିଦ୍ ..

ଆଜି ସେପ୍ଟେମ୍ବର ୨୮ ତାରିଖ। ଭଦ୍ରକ ମାଟିର ସମସ୍ତ ସନ୍ତାନ ସନ୍ତତିଙ୍କ ପାଇଁ ଗର୍ବ ଆଉ ଗୌରବର ଦିନ। ସେଦିନ ଥିଲା ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ। ଅସ୍ତଗାମୀ ସୂର୍ଯ୍ୟଙ୍କ ସ୍ୱର୍ଣ୍ଣିମ ଆଭାରେ ରକ୍ତାକ୍ତ ହୋଇ ଉଠିଥିଲା ଇରମ୍ ମେଳଣ ପଡ଼ିଆ। ୧୯୪୨ ମସିହା ଆଜିର ଦିନରେ ଭଦ୍ରକ ଜିଲ୍ଲା ବୀର ବାସୁଦେବପୁର ମାଟିର ଇରମ୍ ଠାରେ ଦେଶ ମାତୃକାର ରକ୍ଷା ପାଇଁ ୨୯ ଜଣ ଦେଇଥିଲେ ବଳିଦାନ। ପଞ୍ଜାବର ଜାଲିଆନାୱାଲାବାଗ୍‌ ପରେ ଇରମ୍ ହେଉଛି ବଳିଦାନର ଦ୍ୱିତୀୟ ସ୍ଥଳ ଯେଉଁଠି ପରାଧୀନତାର ଶୃଙ୍ଖଳରୁ ଦେଶକୁ ମୁକ୍ତ କରିବା ପାଇଁ ଗୋଟିଏ ଦିନରେ ପୋଲିସ ଗୁଳିରେ ଆତ୍ମବଳି ଦେଇଥିଲେ ୨୯ ଜଣ ଦେଶପ୍ରେମୀ। ଆଜି ବି ଲୋକେ ଭୁଲି ନାହାଁନ୍ତି ଫିରିଙ୍ଗି ଶାସନର ସେହି କଳଙ୍କିତ ଅଧ୍ୟାୟ ତଥା ସେ ଗଣହତ୍ୟାର ମର୍ମାନ୍ତିକ ଦୃଶ୍ୟ। କେବଳ ସତିକି ନୁହଁ, ଏହାର ଠିକ୍ ୬ ଦିନ ପୂର୍ବରୁ ଦେଶମାତୃକାର ରକ୍ଷା ପାଇଁ ଏହି ବୀର ଭଦ୍ରକ ମାଟିରୁ ବଳିଦାନ ଦେଇଥିଲେ ୯ ଜଣ। ସେପ୍ଟେମ୍ବର ୨୨ ତାରିଖ ଦିନ ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ (ଲୁଣିଆ) ଶହୀଦନଗର ଠାରେ ବ୍ରିଟିଶ ପୋଲିସ୍ ଗୁଳିରେ ସହିଦ୍ ହୋଇଥିଲେ ୯ ଜଣ ସତ୍ୟାଗ୍ରହୀ। ଏହିପରି ଦେଶପ୍ରେମୀ ମାନଙ୍କ ବଳିଦାନ ଯୋଗୁଁ ତ’ ପରାଧୀନତା ଦାସତ୍ୱରୁ ମୁକ୍ତି ପାଇ ଆମେ ହୋଇପାରିଲେ ସ୍ୱାଧୀନ ଭାରତର ସନ୍ତାନ।

ସ୍ୱାଧୀନତାର ୭୮ ବର୍ଷ ପରେ ଆଜି ୨୦୨୪ ମସିହା ସେହି ସେପ୍ଟେମ୍ବର ୨୮ ତାରିଖ। ଭାଇଚାରାର ସହର ବୋଲାଉଥିବା ଭଦ୍ରକ ଆଜି ଅଶାନ୍ତ। ଲାଗୁ ହୋଇଛି ଧାରା- ୧୬୩। ସୋସିଆଲ୍ ମିଡିଆରେ କିଛି ବିବାଦୀୟ ପୋଷ୍ଟକୁ ନେଇ ହିନ୍ଦୁ -ମୁସଲିମ୍ ସଂପ୍ରଦାୟ ମଧ୍ୟରେ ପୁଣି ଉପୁଜିଛି ବିବାଦ। ପୋଲିସ୍ ଉପରେ ହୋଇଛି ଆକ୍ରମଣ। ପୋଲିସ୍ ମଧ୍ୟ ବିକ୍ଷୋଭକାରୀଙ୍କୁ ପିଟିଛି। ଲହୁଲୁହାଣ ହୋଇଛି ପୋଲିସ୍ ଲହୁଲୁହାଣ ହୋଇଛନ୍ତି ଜନତା। ପରାଧୀନ ଥିବାବେଳେ ଦେଶମାତୃକା ପାଇଁ ୧୯୪୨ ମସିହା ସେପ୍ଟେମ୍ବର ୨୨ ଏବଂ ୨୮ ତାରିଖରେ ଇଂରେଜ ପୋଲିସ୍ ସହିତ ବୀର ଭଦ୍ରକ ମାଟିର ସହିଦ୍ ମାନଙ୍କର ହୋଇଥିଲା ଲଢ଼େଇ। କିନ୍ତୁ, ସ୍ୱାଧୀନତା ପାଇବା ପରେ ଆଜି ଭାଇଚାରାର ସହର ବୋଲାଉଥିବା ଭଦ୍ରକରେ ଆଜି ଭାଇ – ଭାଇ ଭିତରେ ଲଢ଼େଇ। ଆମ ଦେଶର, ଆମ ରାଜ୍ୟର ଆମ ସୁରକ୍ଷା ଦାୟିତ୍ୱରେ ଥିବା ଆମ ପୋଲିସ୍ ଭାଇଙ୍କ ସହିତ ଆମର ଲଢ଼େଇ! ଏ’ ଭାଇଚାରା ଦେଖି ଆଜି ରକ୍ତତୀର୍ଥ ଇରମ୍ ଏବଂ ଲୁଣିଆ ସହିଦ୍ ମାନେ ସ୍ଵର୍ଗରେ ଥାଇ ଗୁମୁରି କାନ୍ଦୁଥିବେ ନିଶ୍ଚୟ! କେବଳ ଭାଷଣବାଜିରେ ଭାଇଚାରାର ସହର ବୋଲାଉଥିବା ଭଦ୍ରକରେ ବାରମ୍ବାର କାହିଁକି ଘଟୁଛି ସାମ୍ପ୍ରଦାୟିକ ଗଣ୍ଡଗୋଳ? ଏହାର କାରଣ ଖୋଜି ତା’ର ସଂପୂର୍ଣ୍ଣ ନିରାକରଣ କରିବାକୁ ପଡ଼ିବ। ଏଥିନେଇ ଭଦ୍ରକ ଜିଲ୍ଲା ପୋଲିସ୍- ପ୍ରଶାସନ, ପ୍ରତ୍ୟେକ ରାଜନୈତିକ ଦଳ, ବୁଦ୍ଧିଜୀବୀ, ଯୁବ ସମାଜ ତଥା ବିଶେଷ କରି ଉଭୟ ସଂପ୍ରଦାୟର ମୁରବି ଶ୍ରେଣୀୟ ବ୍ୟକ୍ତି ଚିନ୍ତା କରିବାକୁ ପଡ଼ିବ। ଏହା ଆମ ବୀର ଭଦ୍ରକ ମାଟିର ରକ୍ତତୀର୍ଥ ଇରମ୍ ଏବଂ ସହିଦ୍ ନଗର ସହିଦଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।
ହରପ୍ରିୟା ସାହୁ, ଭଦ୍ରକ

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles