ଭୁବନେଶ୍ୱର: ବିଜେଡି ଯୁବନେତାଙ୍କ ଟାର୍ଗେଟରେ ବିଜେଡି ବିଧାୟକ! ସେ ପୁଣି ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ। ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଜଣେ ବିଜେଡି ଯୁବନେତା। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ୨୪ ଦଫା ଦାବୀ ନେଇ ସ୍ଥାନୀୟ ବିଜେଡି ଯୁବନେତା ଶୁଭମ ଦାସଙ୍କ ନେତୃତ୍ୱରେ ଚାଲିଛି ଆମରଣ ଅନଶନ। ତେବେ ଏହି ୨୪ ଦାବୀ ମଧ୍ୟରେ ଗୋଟିଏ ଦାବୀରେ ସିଧାସଳଖ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ଟାର୍ଗେଟ୍ କରାଯାଇଛି। ଯେଉଁଥିରେ ଆକ୍ଷେପ କରାଯାଇଛି ଯେ ଖୋର୍ଦ୍ଧା ବିଧାୟକଙ୍କ ପାଣ୍ଠି ଏବଂ କ୍ରିଟିକାଲ୍ ଗ୍ୟାପ୍ ଫଣ୍ଡକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜାଣିଶୁଣି ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ପକାଇ ରଖିଛନ୍ତି।
ନିଜ ଦଳର ବିଧାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରି ଶୁଭମ ଦାସ କହିଛନ୍ତି, ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜାଣିଶୁଣି କାମ ଅଟକାଇ ରଖିଛନ୍ତି। ତେବେ, ଏ ଆନ୍ଦୋଳନ ସରକାରୀ ବିରୋଧୀ ନୁହଁ। ସରକାରଙ୍କ ପାଖରେ ଆମ ଦୁଃଖ ପହଞ୍ଚାଇବାର ଏହା ଏକ ମାଧ୍ୟମ ବୋଲି କହିବା ସହ “ଆମ ମୁଖ୍ୟମନ୍ତ୍ରୀ ଆମ ହିରୋ” ବୋଲି କହିଛନ୍ତି ଶୁଭମ ଦାସ।