ଲକ୍ଷ୍ନୌ: ଏବେ କିଛି ବର୍ଷ ହେବ ଭାରତରେ ଚାଇନା ସାମଗ୍ରୀକୁ ବିରୋଧ କରାଯାଇ ଆସୁଛି। ବିଶେଷତଃ କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ ଚାଇନା ସାମଗ୍ରୀ ବର୍ଜନ କରିବା ପାଇଁ କ୍ୟାମ୍ପେନ୍ ହେଉଛି। ବୟକଟ୍ ଚାଇନା ନାରା ଦେଇ ସ୍ୱଦେଶୀ ଖେଳଣା ତଥା ଚାଇନିଜ ଆପ୍ ଠାରୁ ଆରମ୍ଭ କରି ଯୁଦ୍ଧାସ୍ତ୍ର ଉପରେ ମୋଦୀ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏହା ଭିତରେ ଏବେ ଚାଇନା ରସୁଣକୁ ନେଇ ବିବାଦ ତେଜିଛି। ନେପାଳ ଦେଇ ଚୋରା ଚାଲାଣ ଓ ଭାରତରେ ରସୁଣ ଦର ବୃଦ୍ଧି ଖବର ଆସିବା ପରେ ଚାଇନା ରସୁଣର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରି ଆହ୍ଲାବାଦ ହାଇକୋର୍ଟରେ ମାମଲା ପହଞ୍ଚିଛି। ଏ ସଂକ୍ରାନ୍ତରେ ଲକ୍ଷ୍ନୌ ଖଣ୍ଡପୀଠଙ୍କ ଅଦାଲତରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଯେଉଁଥିରେ ଚାଇନିଜ୍ ରସୁଣ ସହିତ ଜଡ଼ିତ ବିପଦ ଉପରେ କୁହାଯାଇଛି ଏବଂ ଏହାକୁ ନିଷିଦ୍ଧ କରିବାକୁ ଦାବି କରାଯାଇଛି। ଆଇନଜୀବୀ ମୋତିଲାଲ ଯାଦବଙ୍କ ଦ୍ୱାରା ଦାୟର ହୋଇଥିବା ଏହି ପିଟିସନରେ ଚାଇନିଜ୍ ରସୁଣ ସହିତ ଜଡିତ ସ୍ୱାସ୍ଥ୍ୟ ବିପଦକୁ ଦର୍ଶାଯାଇଛି। ଏହାର କ୍ଷତିକାରକ ପ୍ରଭାବ କାରଣରୁ ୨୦୧୪ରେ ନିଷିଦ୍ଧ ହୋଇସାରିଥିଲା। ଏହି କଟକଣା ସତ୍ତ୍ୱେ ଏବେ ବି ଦେଶରେ ରସୁଣ ଚୋରା ଚାଲାଣ ହେଉଥିବାରୁ ଏହାର ନିରାପତ୍ତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। କୋର୍ଟ ରୁମରେ ଏକ ନାଟକୀୟ ଦୃଶ୍ୟରେ ଆଇନଜୀବୀ ମୋତିଲାଲ ଯାଦବ ଉଭୟ ସ୍ଥାନୀୟ (ଦେଶୀ) ଏବଂ ଚାଇନିଜ୍ ରସୁଣର ନମୁନା ବିଚାରପତିଙ୍କ ନିକଟରେ ରଖିଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ଖାଦ୍ୟ ନିରାପତ୍ତା ଓ ଔଷଧ ବିଭାଗକୁ ଡକାଯାଇ ଉଭୟ ପ୍ରକାର ରସୁଣର ଯାଞ୍ଚ କରାଯାଇଛି। ଏହାର ଗଭୀର ବିଶ୍ଳେଷଣ କରିବା ପାଇଁ କୋର୍ଟ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହି ଅନୁସନ୍ଧାନ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ଏବଂ କର୍ତ୍ତୃପକ୍ଷ ଚାଇନିଜ୍ ରସୁଣ ଖାଇବା ଦ୍ୱାରା ହେଉଥିବା ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ଅଦାଲତଙ୍କୁ ଅବଗତ କରିବେ। ଚଳିତ ମାସ ପ୍ରାରମ୍ଭରେ ଉତ୍ତରପ୍ରଦେଶ ସୀମା ଶୁଳ୍କ ଅଧିକାରୀମାନେ ୧୬ ଟନ୍ ଚାଇନିଜ୍ ରସୁଣ ଜବତ କରିଥିଲେ। ଯେଉଁଥିରେ ଫଙ୍ଗସ୍ ଥିବା ଜଣାପଡ଼ିଥିଲା। ନିରାପତ୍ତା ପରୀକ୍ଷାରେ ବିଫଳ ହେବା ପରେ ରସୁଣ ନଷ୍ଟ ହୋଇଯାଇଥିଲା। ଏହି ଘଟଣା ଭାରତୀୟ ବଜାରରେ ଅସୁରକ୍ଷିତ ରସୁଣ ଭର୍ତ୍ତି ହେବାର ଆଶଙ୍କାକୁ ଆହୁରି ବଢାଇଦେଇଛି। କାରଣ ଚୋରା ଚାଲାଣକାରୀ ମାନେ ଦେଶରେ ରସୁଣ ଦର ବୃଦ୍ଧିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି, ଯାହା ଗ୍ରାହକଙ୍କ ପାଇଁ ସମ୍ଭାବ୍ୟ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି।