ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ତଥା କାର୍ଯ୍ୟରେ ଖିଲାପ ଏବଂ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ସବିଶେଷ ସୂଚନା ପ୍ରଦାନ କରାଯାଇଛି। ବହିଷ୍କୃତ କିମ୍ୱା ବାଧ୍ୟତାମୂଳକ ଅବସର ଦିଆଯାଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ ପୂର୍ବତନ ସହକାରୀ କୃଷି ଯନ୍ତ୍ରୀ, ଜଣେ ପୂର୍ବତନ ଉଦ୍ୟାନକୃଷି ଉପନିର୍ଦ୍ଦେଶକ, ଜଣେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭର୍ସିଅର ଏବଂ ଦୁଇଜଣ ପୂର୍ବତନ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି। ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ସହକାରୀ କୃଷି ଯନ୍ତ୍ରୀ ଏବଂ ଗୁରୁତର ଅସଦାଚରଣ ଅଭିଯୋଗରେ ବିଭାଗୀୟ ଶୃଙ୍ଖଳା କମିଟିର ସୁପାରିସକ୍ରମେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ସେହିପରି ପୂର୍ବତନ ଉଦ୍ୟାନକୃଷି ଉପନିର୍ଦ୍ଦେଶକଙ୍କୁ ସରକାରୀ ଅର୍ଥର ଅପବ୍ୟବହାର ଓ ଅସଦାଚରଣ ଅଭିଯୋଗରେ ଏବଂ ଆଉ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଅସଦାଚରଣ ଓ କାର୍ଯ୍ୟରେ ଖିଲାପ ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହାସହ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିଅରଙ୍କୁ ଭିଜିଲାନ୍ସ ଟ୍ରାପ୍ କେଶ୍ ଅଭିଯୋଗରେ ଆଗୁଆ ଅବସର ଦିଆଯାଇଛି।