Wednesday, June 18, 2025

ବ୍ଲକ୍ ଥିଲା, ବ୍ଲକ୍ ହେଉ – ନିରାକାରପୁରକୁ ବ୍ଲକ୍ ଘୋଷଣା କରାଯାଉ ..

ଭୁବନେଶ୍ବର: ରାଜ୍ୟରେ ଅଧିକ ସଂଖ୍ୟକ ନୂଆ ବ୍ଲକ୍ ଗଠନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ ସରକାର ଏକ କମିଶନ ଗଠନ କରିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପ୍ରଶାସନକୁ ଲୋକଙ୍କ ଅଧିକ ନିକଟତର କରାଇବା ଉଦ୍ଦେଶ୍ୟରେ ବର୍ତ୍ତମାନର ବ୍ଲକ୍ ଗୁଡ଼ିକର ପୁନର୍ଗଠନ କରି ନୂଆ ବ୍ଲକ୍ ଗଠନ ପାଇଁ ସରକାର ଚିନ୍ତା କରୁଛନ୍ତି। ରାଜ୍ୟରେ ଶେଷଥର ପାଇଁ ୧୯୮୪ ମସିହାରେ ବ୍ଲକ୍ ପୁନର୍ଗଠନ ହୋଇଥିଲା। ୧୯୫୮ ମସିହାରେ ବ୍ଲକ୍ ସଂଖ୍ୟା ୧୨୪ ଥିବାବେଳେ ୧୯୬୧ରେ ଏହା ୨୧୪କୁ ଏବଂ ୧୯୮୪ରେ ଶେଷଥର ପାଇଁ ଏହା ବୃଦ୍ଧିପାଇ ଓଡ଼ିଶାରେ ଏବେ ୩୧୪ଟି ବ୍ଲକ୍ ରହିଛି। ତେବେ, ୪୦ବର୍ଷ ମଧ୍ୟରେ ଜନସଂଖ୍ୟାରେ ବହୁ ପରିମାଣରେ ବୃଦ୍ଧି କାରଣରୁ ଏବେ ବ୍ଲକ୍ ସଂଖ୍ୟା ବୃଦ୍ଧିର ନିହାତି ଆବଶ୍ୟକତା ରହିଛି। ତଦ୍ଦନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ନିରାକାରପୁରକୁ ବ୍ଲକ୍ ଘୋଷଣା କରାଯାଉ ବୋଲି ଦାବୀ ଉଠିଛି। ସୂଚନାଯୋଗ୍ୟ ଯେ, ୧୯୬୦- ୬୧ ମସିହାରେ ନିରାକାରପୁରରେ ଏକ ବ୍ଲକ୍ ଆରମ୍ଭ ହୋଇଥିଲା। ତେବେ କୌଣସି କାରଣରୁ କିଛି ଦିନ କାମ କରିବା ପରେ ଏହା ଟାଙ୍ଗୀକୁ ଉଠିଯାଇଥିଲା। ନୂଆ ଜଗନ୍ନାଥ ସଡ଼କ ଦେଇ ଗଲେ ନିରାକାରପୁର ଏକମାତ୍ର ରେଳଷ୍ଟେସନ ରହିଥିବା ବେଳେ ବ୍ୟବସାୟିକ ପେଣ୍ଠସ୍ଥଳୀ, ଗମନାଗମନ ସୁବିଧା, ଏଜୁକେସନାଲ୍ ହବ୍ ଆଦି ଅନେକ କାରଣରୁ ନିରାକାରପୁର ଖୁବ୍ ଗୁରୁତ୍ୱ ବହନ କରୁଛି ଏବଂ ଏକ ସେମି ଟାଉନ୍ ଭାବରେ ପରିଚିତ ହୋଇଛି। ତେଣୁ ଆବଶ୍ୟକତା ଦୃଷ୍ଟିକୋଣରୁ ଏବଂ ପୂର୍ବେ ଏହା ବ୍ଲକ୍ ଥିବାରୁ ନିରାକାରପୁରକୁ ଏବେ ପୁଣି ବ୍ଲକ୍ ଭାବେ ଘୋଷଣା କରିବାକୁ ଦାବୀ ହେଉଛି।

ତେବେ, ନୂଆ ବ୍ଲକ୍ ଗଠନ କରିବା ଏକ ଜଟିଳ ପ୍ରକ୍ରିୟା। ଏଥିନେଇ ଅନେକ ଗୁଡ଼ିଏ ଆଇନଗତ ଦିଗ ରହିଛି। ଏଥିପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ନିରାକାରପୁରକୁ ବ୍ଲକ୍ ଭାବରେ ଘୋଷଣା ହେବାକୁ ଚାହୁଁଥିଲେ, ଦଳମତ ନିର୍ବିଶେଷରେ ଏକ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles