ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିକୁ ନେଇ ଚାଲିଥିବା ସପେନ୍ସରେ ପୂର୍ଣଛେଦ ପଡ଼ିଛି। ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଛି। ଏହା ସହ ଶିବସେନା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚୂଡ଼ାନ୍ତ ହୋଇଛି। ଆଜି ଅନୁଷ୍ଠିତ ମହାୟୁତି ବୈଠକରେ ସର୍ବସମ୍ମତି ରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନବୀସଙ୍କ ନାଁ’ରେ ମୋହର ବାଜିଛି। ଦେବେନ୍ଦ୍ର ଫଡନବୀସ ବିଜେପିର ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ନିଷ୍ପତ୍ତି ପରେ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟି ତାଙ୍କ ସମର୍ଥକ ତଥା ବିଧାୟକଙ୍କ ନାମ ସହିତ ସରକାର ଗଠନ ପାଇଁ ଦାବି କରିବେ। ଡିସେମ୍ବର ୫ରେ ଶପଥ ଗ୍ରହଣ ଉତ୍ସବ ହେବ। ମହାରାଷ୍ଟ୍ରର ଆଜାଦ ମୈଦାନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ କେନ୍ଦ୍ରୀୟ ବିଜେପି ତଥା ଏନଡିଏ ନେତା ଉପସ୍ଥିତ ରହିବେ। ବିଧାନସଭା ନିର୍ବାଚନରେ ଯେପରି ବିଜେପି ଆସନ ପାଇଲା, ପରବର୍ତ୍ତୀ ସିଏମ୍ ବିଜେପିରୁ ହେବ ବୋଲି ଆକଳନ କରାଯାଉଥିଲା। ସୂଚନାଯୋଗ୍ୟ ଯେ, ନାଗପୁର ଦକ୍ଷିଣ ପଶ୍ଚିମ ଆସନରୁ ଦେବେନ୍ଦ୍ର ଫଡନାଭିସ୍ ନିର୍ବାଚିତ ହୋଇଛନ୍ତି। ସେ ଅତୀତରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି। ଏକନାଥ ସିନ୍ଦେ ସରକାରରେ ଡେପୁଟି ସିଏମ୍ ପଦବୀରେ ଅବସ୍ଥାପିତ ଦେବେନ୍ଦ୍ର ଫଡନବୀସଙ୍କୁ ମଧ୍ୟ ୨୦୧୯ରେ ସିଏମ୍ ହେବାର ସୁଯୋଗ ମିଳିଥିଲା। କିନ୍ତୁ ତାଙ୍କୁ ଦୁଇ ଦିନ ପରେ ଇସ୍ତଫା ଦେବାକୁ ପଡ଼ିଥିଲା।