ଭୁବନେଶ୍ୱର: ମୋଦୀ – ନବୀନଙ୍କ ମେଣ୍ଟ ଭୟରେ ଧର୍ମେନ୍ଦ୍ର – ଅପରାଜିତା ମେଣ୍ଟ! ବାସ୍ତବରେ ଓଡ଼ିଶା ବିଜେପିରେ ଯଦି କେହି ସବୁଠାରୁ ଅଧିକ ବିଶୃଙ୍ଖଳିତ ନେତାନେତ୍ରୀ ଥାଆନ୍ତି, ତେବେ ସେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କାରଣ ଏହି ଦୁଇ ନେତା ଆଉ ନେତ୍ରୀ ନିଜକୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରାଇବାକୁ ଯାଇ ଦଳ ଭିତରେ ଗୋଷ୍ଠୀବାଦ ସୃଷ୍ଟି କରିଛନ୍ତି। ସିଏମ୍ ହେବା ନିଶାରେ ଏମାନଙ୍କ ଭିତରେ ଚାଲିଥିବା ଶୀତଳଯୁଦ୍ଧର କୁପରିଣାମ ଭୟଙ୍କର ଭାବରେ ଦଳ ଉପରେ ପଡ଼ିଛି। ତେଣେ ଦଳ ପଛେ ଚୁଲିକୁ ଯାଉ, ଏମାନଙ୍କୁ ସିଏମ୍ ହେବା ନିଶା ଘାରିଥିଲା। ଧର୍ମେନ୍ଦ୍ର ଏବଂ ଅପରାଜିତା ଉଭୟ କେହି କାହାକୁ କେବେ ପ୍ରଶଂସା କରନ୍ତି ନାହିଁ। ଯାହା ବି କେବେ କୁହନ୍ତି ତାହା କେବଳ ଉପର ଦେଖାଣିଆ। କେହି କାହାକୁ କେବେ ସେମିତି ଭେଟଘାଟ କରନ୍ତି ନାହିଁ। ସୋସିଆଲ୍ ମିଡିଆରେ ଉଭୟଙ୍କ ସମର୍ଥକ ଉଭୟଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରାଇ ଚାଲିଛନ୍ତି। ଉଭୟଙ୍କ ମଧ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ସ୍ୱପ୍ନ ଏବଂ ଏଥିନେଇ ଉଭୟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବଂ ଏହାକୁ ନେଇ ଓଡ଼ିଶା ବିଜେପି ଭିତରେ ହୋଇଥିବା ଗୋଷ୍ଠୀବାଦ୍ ବାବଦରେ ସମସ୍ତଙ୍କୁ ଜଣା।
ତେବେ, ଯାହା ଏ’ ପର୍ଯ୍ୟନ୍ତ କେବେ ଦେଖାଯାଇ ନଥିଲା ତାହା ଏବେ ଦେଖିବାକୁ ମିଳିଛି। ଅପରାଜିତା ଷଡ଼ଙ୍ଗୀ ଯାଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି। ଏବଂ ଏହି ସାକ୍ଷାତ ଆଲୋଚନା ସମୟର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ଅପରାଜିତା ଲେଖିଛନ୍ତି, ଗତକାଲି ଭୁବନେଶ୍ୱରରେ ସମ୍ମାନୀୟ ଧର୍ମେନ୍ଦ୍ର ପ୍ରଧାନ ଜୀ’ଙ୍କ ସହିତ ୨୦୨୪ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହା ବଡ଼ ଆନନ୍ଦଦାୟକ ଥିଲା।” ଉଭୟଙ୍କୁ ଏପରି ଏକା ସାଥିରେ ଦେଖି, ଏବେ ମୋଦୀ – ନବୀନ ଅର୍ଥାତ୍ ବିଜେପି – ବିଜେଡି ମଧ୍ୟରେ ହେବାକୁ ଯାଉଥିବା ସମ୍ଭାବ୍ୟ ମେଣ୍ଟକୁ ନେଇ ଉଭୟ ବିଚଳିତ ହୋଇ ପଡ଼ିଛନ୍ତି ଏବଂ ସେଥିପାଇଁ ବୋଧେ ଏମାନେ ଦୁଇଜଣ ନିଜ ନିଜ ମଧ୍ୟରେ ମେଣ୍ଟ ଯୋଜନା କରୁଛନ୍ତି ବୋଲି ଅନୁଭବ ହେଉଛି!