ଭୁବନେଶ୍ୱର: ରାଜ୍ୟରେ କିପରି ଚାଲିଛି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତରେ। ଜନସଂଖ୍ୟା ୧୦,୦୦୦ରୁ ଉର୍ଦ୍ଧ୍ବ। ଏହା ସହ ଆଖ ପାଖ ଗ୍ରାମର ଏପରିକି ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ କିଛି ଗ୍ରାମର ଲୋକ ଗୋଳବାଇ ଉପରେ ନିର୍ଭରଶୀଳ। ସ୍ୱାସ୍ଥ୍ୟ ସେବା ଦୃଷ୍ଟିକୋଣରୁ ଏଠାରେ ନିହାତି ଭାବରେ ଏକ ଏଲୋପ୍ୟାଥିକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଜଣେ ଏଲୋପାଥିକ ଡାକ୍ତରଙ୍କର ଆବଶ୍ୟକତା ରହିଛି। ଯାହା କି’ ଅଞ୍ଚଳର ଦୀର୍ଘ ଦିନର ଦାବୀ ହୋଇ ରହିଆସିଛି। ପୂର୍ବରୁ ଏଠାରେ ଏକ ସରକାରୀ ହୋମିଓପ୍ୟାଥିକ କେନ୍ଦ୍ର ଥିଲା। କିନ୍ତୁ ଅଞ୍ଚଳର ଆବଶ୍ୟକତାକୁ ଗୁରୁତ୍ୱ ନଦେଇ ଏଲୋପ୍ୟାଥିକ ବଦଳରେ ଏଠାରେ ପୁଣି ଏକ ଆୟୁର୍ବେଦିକ ସ୍ୱାସ୍ଥ୍ୟ କେନ୍ଦ୍ର କରିଦିଆଗଲା। ଯାହାର ଡାକ୍ତର ମଧ୍ୟ ନିୟମିତ ଭାବରେ ଆସନ୍ତି ନାହିଁ। କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତ ଗସ୍ତ କରି ଏକ “ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକ ସାଂସଦଙ୍କ ନିକଟରେ ଏନେଇ ଅଭିଯୋଗ ଶୁଣାଇଥିଲେ। ସାଂସଦ ମଧ୍ୟ ସମସ୍ୟା ସମାଧାନ କରିବାର ପ୍ରତିଶୃତି ଦେଇଥିଲେ।
ହେଲେ ସାଂସଦ ସିନା କହିଦେଇ ଗଲେ, କିନ୍ତୁ ସୂଚନା ମୁତାବକ ସ୍ଥିତି ଯଥା ପୂର୍ବଂ ତଥା ପରଂ। କହିବାକୁ ଗଲେ ସ୍ଥିତି ଆହୁରୀ ଖରାପ। ଏଲୋପ୍ୟାଥିକ ସେବା ଦିଗରେ କିଛି ତ’ କରାଗଲାନି। ଆୟୁର୍ବେଦିକ ଡାକ୍ତରଙ୍କ ଦେଖାନାହିଁ। ଆୟୁର୍ବେଦିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଦେଖିଲେ ଜଣାପଡ଼ୁଛି ଡାକ୍ତର କେତେବେଳେ ଆସି କେଉଁଠି ବସି କିପରି ରୋଗୀ ସେବା କରି ଯାଉଛନ୍ତି! ନିକଟରେ ଚାଲିଛି ବିଲ୍ଡିଂ କାମ। ତାର ସବୁ ଷ୍ଟକ ସାମଗ୍ରୀ ଏହିଠାରେ ରଖାଯାଇଛି। ଦେଖନ୍ତୁ କିପରି ଚାଲିଛି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା। ଡାକ୍ତର ପଛକେ ନଥାଆନ୍ତୁ, ରୋଗୀ ସେବା ପଛକେ ନହେଉ, କିନ୍ତୁ ବିଲ୍ଡିଂ କାମ ଚାଲୁ। ଚଳୁ କରିବାକୁ ସୁବିଧା ହେବ!