ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସିଲାଣି। ସମସ୍ତ ରାଜନୈତିକ ଦଳ ପାଇଁ ନିର୍ବାଚନ ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଲେଣି। କିନ୍ତୁ, ଏହାପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଲାଗିଛି ଜବରଦସ୍ତ ଦୁଇଟି ଝଟକା। ବେଙ୍ଗଲରେ ଟିଏମସି ଏବଂ ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବ ଆପ୍। ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଲୋକସଭା ନିର୍ବାଚନକୁ ନେଇ ‘ଏକଲା ଚଲୋ’ ନାରା ଦେଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଟିଏମ୍ସି ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ନିର୍ବାଚନ ଲଢ଼ିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ପରେ ପୁଣି ପଞ୍ଜାବରେ ‘ଇଣ୍ଡିଆ’ ମେଣ୍ଟକୁ ଲାଗିଲା ଝଟ୍କା। ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବ ଆମ୍ ଆଦମୀ ପାର୍ଟି। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକା ଲଢ଼ିବାକୁ ଘୋଷଣା କରିବାର କିଛି ସମୟ ପରେ ପଞ୍ଜାବ ସରକାର ଏଭଳି ଘୋଷଣା କରିଛନ୍ତି। ଆଗକୁ ଲୋକସଭା ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସ ସହ ଆପ୍ କୌଣସି ମେଣ୍ଟ କରିବନି। ଆମ୍ ଆଦମୀ ନିର୍ବାଚନ ଏକା ଲଢ଼ିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆମ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବା ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବଓ୍ୱାନ୍ତ ମାନ ଅନେକ ଥର ସାଧାରଣ ସଭାରେ ଏକା ଲଢ଼ିବାକୁ କହିସାରିଛନ୍ତି।