Thursday, June 19, 2025

ପଦ୍ମ ପୋଖରୀରେ ବୁଡ଼ ପକାଇ ଶ୍ରୀଖଣ୍ଡୀ ପାଉଛି ପୁରୁଷତ୍ୱ: ଗୋ- ତସ୍କର ହେଉଛି ଗୋଭକ୍ତ!

ଭୁବନେଶ୍ୱର: ଯେତେ ଭୁଲ୍ ଥାଉ ଯେତେ ଦୋଷ ଥାଉ ବିଜେପିରେ ଯୋଗଦେଲେ ସବୁ ମାଫ୍ ହୋଇଯାଏ। ଯେପରିକି ଦାମ ବାବୁ ଥିଲେ ଶ୍ରୀଖଣ୍ଡୀ। ଦାମ ବାବୁ ଶ୍ରୀଖଣ୍ଡୀ ସେବେଥିଲେ, ଯେବେ ସେ ବିଜେଡିରେ ଥାଇ ଶଙ୍ଖ ଫୁଙ୍କୁଥିଲେ। ଯେବେ ସେ ବିଜେଡି ଛାଡ଼ି ବିଜେପି ଗାଡ଼ିଆରେ ବୁଡ଼ ପକାଇଲେ ସେ ପୁରୁଷତ୍ୱ ପ୍ରାପ୍ତ କଲେ! ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି ମନ୍ତବ୍ୟ ଦେଇ ନାରୀ ଜାତିଙ୍କୁ ଅପମାନିତ କରିଛନ୍ତି କହି ବିଜେପିର ଆକ୍ରୋଶର ଶୀକାର ହୋଇଥିଲେ ଦାମ ବାବୁ। ବିଜେପି ମହିଳା ମୋର୍ଚ୍ଚା ତାଙ୍କ ବିରୋଧରେ କରିଥିଲା ତୀବ୍ର ଆନ୍ଦୋଳନ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଦାମ ବାବୁଙ୍କୁ ଫୁଲ ମାଳ ଦେଇ ବିଜେପିକୁ କୋଳେଇ ନେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେବଳ ସେତିକି ନୁହେଁ, ୨୦୧୯ ନିର୍ବାଚନ ପାଇଁ ଦାମ ରାଉତଙ୍କୁ ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ କରାଇ ଦେଇଥିଲେ ଧର୍ମେନ୍ଦ୍ର। ଆଉ ଦାମ ବାବୁଙ୍କୁ ଶ୍ରୀଖଣ୍ଡୀ ନାମ ଦେଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସେହି ଦାମ ବାବୁଙ୍କ ସହ ମିଶି ନିର୍ବାଚନ ପ୍ରଚାର କଲେ। ବୋଧେ ପଦ୍ମ ପୋଖରୀରେ ବୁଡ଼ ପକାଇ ପୁରୁଷତ୍ୱ ପ୍ରାପ୍ତ କରିଥିଲେ ଶ୍ରୀଖଣ୍ଡୀ।

ସେହିପରି ଏବେ ପଦ୍ମ ପୋଖରୀରେ ବୁଡ଼ ପକାଇ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ହୋଇଗଲେ ସାଧୁ। ଆଉ ଏକ ଘଟଣା ଦେଖିଲେ ବାହୁବଳୀ ବିଧାୟକ ବୋଲାଉଥିବା ପ୍ରଶାନ୍ତ ଓରଫ୍ ଗଣେଶ ଜଗଦ୍ଦେବ ବେଗୁନିଆ ବିଧାୟକ ଥିବା ସମୟରେ ସେ ଥିଲେ ଗୋରୁ ମାଫିଆ ବା ଗୋ- ତସ୍କର। ଟିଟ – ହାଇଦର ସହିତ ତାଙ୍କର ଲିଙ୍କ ଥିଲା ବୋଲି ଚିତ୍କାର କରୁଥିଲା ବିଜେପି। ତାପରେ ଚିଲିକା ବିଧାୟକ ହୋଇ ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼େଇ ଦେଲେ। ଜଣେ ମରି ମଧ୍ୟ ଗଲା। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଠାରେ ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼େଇଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କ ପ୍ରତିଦ୍ୱନ୍ଦୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବଡ଼ ଚିତ୍କାର କଲେ। ତାଙ୍କୁ ବାହୁବଳୀ ବିଧାୟକ, ଗୁଣ୍ଡା ଆଦି କହି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କଲା ବିଜେପି। ବିଜେଡି ତାଙ୍କୁ ଦଳରୁ ନିଲମ୍ବନ କଲା। ମାତ୍ର ନିଲମ୍ବନ ଚଳିବନି ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ଥାନ ବାହାରେ ନୁହେଁ, ଜେଲ୍ ଭିତରେ ବୋଲି କହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ଅପରାଜିତା ସେହି ଅପରାଧୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ବଦଳରେ ବିଜେପିରେ ପୁରାଇଦେଲେ! ଅର୍ଥାତ୍ ଏଠାରେ ବୁଝିବାକୁ ହେବ, ପଦ୍ମ ପୋଖରୀରେ ବୁଡ଼ ପକାଇ ଶ୍ରୀଖଣ୍ଡୀ ପାଏ ପୁରୁଷତ୍ୱ, ଗୋ- ତସ୍କର ହୋଇଯାଏ ଗୋଭକ୍ତ! ଦସ୍ୟୁ ରତ୍ନାକର ହୋଇଯାଏ ବାଲ୍ମିକୀ!

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles