ପ୍ରୟାଗରାଜ: ମହାକୁମ୍ଭରେ ଦେଖିବାକୁ ମିଳିଲା ଶାଶୁ – ବୋହୂଙ୍କ ସମ୍ପର୍କର ଭାବମୟ ଦୃଶ୍ୟ। ସାଧାରଣତଃ ଆମ ସମାଜରେ ଶାଶୁ – ବୋହୂଙ୍କ ସମ୍ପର୍କକୁ ଏକ ତିକ୍ତ ସଂପର୍କ ଭାବରେ ଦେଖାଯାଏ। ବଲିଉଡ୍ ଠାରୁ ଓଲିଉଡ୍ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ଚଳଚିତ୍ର କିମ୍ବା ଟିଭି ସିରିଏଲ୍ ଗୁଡ଼ିକରେ ମଧ୍ୟ “ଘର ଘର କି କାହାଣୀ” ନାମରେ ଶାଶୁ – ବୋହୂ ସଂପର୍କକୁ ଏକ ତିକ୍ତ ସଂପର୍କ ଭାବରେ ଦର୍ଶାଯାଇଥାଏ। କିନ୍ତୁ ଭାରତୀୟ ସଂସ୍କୃତିରେ ଶାଶୁ – ବୋହୂ ସଂପର୍କର ଏକ ଭାବମୟ ଦୃଶ୍ୟ ଦେଖିବାକୁ ମିଳିଛି ପ୍ରୟାଗରାଜ ସଙ୍ଗମ ସ୍ଥଳ ମହାକୁମ୍ଭରେ। ମୌନି ଅମାବାସ୍ୟା ପୂର୍ବରୁ କୁମ୍ଭମେଳାରେ ପ୍ରବଳ ଭିଡ଼ ଭିତରେ ବୟସ୍କ ମହିଳା ଜଣେ ସ୍ନାନ କରିବା ପାଇଁ ଇଛା କଲେ। କିନ୍ତୁ, ଅସମ୍ଭବ ଭିଡ଼ କାରଣରୁ ସ୍ନାନ କରିବା ପାଇଁ ୧୦ କିଲୋମିଟର ଚାଲିବା ବୟସ୍କ ମହିଳାଙ୍କ ପକ୍ଷେ ଅସମ୍ଭବ ଥିଲା। ତେବେ, ଶାଶୁଙ୍କ ମୋକ୍ଷ ପାଇବାର ଇଛାକୁ ସମ୍ମାନ ଜଣାଇ ଶାଶୁ ମା’ଙ୍କୁ ନିଜ ପିଠିରେ ବୋହି ସ୍ନାନ କରେଇବା ପାଇଁ ନେଲେ ପୁତ୍ରବଧୂ। ଏହି ଦୃଶ୍ୟ ଦେଖିଲେ ଅନୁଭବ ହୁଏ ସତରେ ଏବେ ମଧ୍ୟ ସ୍ନେହ, ପ୍ରେମ, ଦାୟିତ୍ୱ ଓ ମାନବତା ସେମିତି ରହିଛି କିଛି ଲୋକଙ୍କ ନିକଟରେ ଯେପରି ଆଗରୁ ଥିଲା। ଧନ୍ୟ ସେ ଶାଶୁ ଯିଏ ବୋହୂ ପିଠିରେ ଲାଉ ହୋଇ ଯାଉଛନ୍ତି ପୂଣ୍ୟ ଅର୍ଜନ ପାଇଁ ଆଉ ଧନ୍ୟ ସେ ବୋହୂ ଯିଏ ହସ ହସ ମୁଖରେ ଶାଶୁଙ୍କୁ ପିଠିରେ ନେଇ ଯାଉଛନ୍ତି। ମୁଖରେ ଅଛି ତାଙ୍କର ନୈସର୍ଗିକ ଆନନ୍ଦ। ଏହା ହିଁ ଭାରତ।