ଖୋର୍ଦ୍ଧା: ଲଘୁଚାପ ଜନିତ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଧାନ ଫସଲରେ ନାହିଁ ନଥିବା କ୍ଷତି ଘଟି ହତାଶ ହୋଇ ପଡ଼ିଛନ୍ତି ଚାଷୀକୂଳ। ଏପରି ସ୍ଥିତିରେ ସମସ୍ତ କୃଷିୠଣ ଛାଡ଼ ସହିତ ଚାଷୀକୁ ଉଚିତ୍ ମୂଲ୍ୟର କ୍ଷତି ପୁରଣ ଦିଆଯାଉ ବୋଲି ଦାବୀ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ୧୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ପାଲଟାସିଂହ। ବିଜୟ କହିଛନ୍ତି, ଦୀର୍ଘ କେତେ ବର୍ଷ ପରେ ସାରା ଓଡ଼ିଶାରେ ଖରିଫ ଧାନ ଫସଲ ଶତ ପ୍ରତିଶତ ଭଲ ହୋଇଥିଲା। ଚାଷୀ ବଡ଼ ଆନନ୍ଦିତ ଥିଲା। ତେବେ, ମଣିଷ ଉପରେ ହଠାତ ଶନିଦଶା ପଡିଲା ଭଳି ଠିକ୍ ଅମଳ ସମୟରେ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା କୃଷକ ଉପରେ ଦାଉ ସାଧିଲା। ସବୁଆଡ଼େ ହାହାକାର। ଅର୍ଦ୍ଧାଧିକ ଧାନ କଟାହୋଇ ଜମିରେ ପଡିଛି। ଜମିରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି। ସେଇ ଲହଡ଼ି କୃଷକର ଭାଗ୍ୟ ସହ ଖେଳ ଖେଳୁଛି। ଲଗାତର ୨୮ ଘଣ୍ଟା ପ୍ରଥମ ଲଗାଣ ବର୍ଷାରେ ଭିଜିଥିବା ଧାନକୁ କୃଷକ ପାଣିରୁ ଛାଣିଲା ବେଳେ ଦେଖାଯାଇଛି କି ଧାନ ସବୁ ଗଜା ହୋଇଯାଇଛି। ଏଭଳି ଦୁର୍ଦ୍ଦିନ ପରିସ୍ଥିରେ ଯାହାକିଛି ଅମଳ ହୋଇଥାଆନ୍ତା, ପୁଣି ଦ୍ଵିତୀୟ ଲଗାଣ ବର୍ଷା ଯେଉଁ ମାତ୍ରାରେ ହେଲା, ପାଣିରେ ପଡ଼ି ଧାନ ଗଛ ଗୁଡ଼ିକ ସଢ଼ି ଗଲାଣି। ଧାନ ଗୁଡ଼ିକ କେଣ୍ଡାରେ ଥାଇ ଝଡ଼ିଗଲାଣି, ଗଜା ହେବା ଆରମ୍ଭ ହେଲାଣି। ବର୍ଷ ସାରାର ମେହନତି ମିଶିଯିବ ମାଟିରେ। ଧନବୁଣାର ପ୍ରାକ୍ ପ୍ରସ୍ତୁତି ଠାରୁ ଧାନ ଅମଳ ପର୍ଯ୍ୟନ୍ତ ଚାଷୀଟିଏ ଖରା ବର୍ଷାକୁ ଖାତିର ନକରି ମାଟି ସଙ୍ଗେ ମାଟି ହୋଇ, ଖଟି ଖଟାଇ ଆଜି ପାଇଲା ବେଳକୁ ହାତ ପାଆନ୍ତାରୁ ତାର କଷ୍ଟଲବ୍ଧ ଫଳ, ସୁନାର ଫସଲ ଭାସି ଯାଇଛି। ଆଖିରେ ସବୁ ଦେଖିକି ମଧ୍ୟ କିଛି କରିପାରୁନି। ବାସ୍ତବ ଅନୁଭୂତି ଥିବା ବ୍ୟକ୍ତି ଯଦି ଏ ଦୃଶ୍ୟକୁ ଦେଖିବ ତାର ଛାତି ଫାଟିଯିବ। ବନ୍ୟା ବାତ୍ୟା ମରୁଡି ଚାଷୀର ଅଣ୍ଟା ଭାଙ୍ଗି ଦେଉଛି ବାରମ୍ବାର। କେତେ ସହିବ ଚାଷୀ? ଚାଷୀ କୂଳର ଆଜିର ଏହି ଦୁଃଖଦ ପରିସ୍ଥିତିର ବାସ୍ତବତାକୁ ଉପଲବ୍ଧି କରି ସରକାର ସୁହୃଦୟତାର ସହିତ ବିଚାର କରନ୍ତୁ। ସମସ୍ତ କୃଷିୠଣ ଛାଡ଼ ସହିତ ଚାଷୀକୁ ଉଚିତ୍ ମୂଲ୍ୟର କ୍ଷତି ପୁରଣ ଦିଅନ୍ତୁ। ଏହାସହ ଏପରି ପରିସ୍ଥିତିଜୁ ସାମ୍ନା କରିବା ପାଇଁ ଆମ ଅଂଚଳର ସମସ୍ତ ଚାଷୀ କୂଳ ଏକ ହୁଅନ୍ତୁ ବୋଲି ବିଜୟ ପାଲଟାସିଂହ କହିଛନ୍ତି।